ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି :
୨/୧୦/୨୬ – ମାତ୍ର ସପ୍ତାହଟେ ପୂର୍ବରୁ ଲଗାତର ଭୀଷଣ ବର୍ଷାରେ ମନ୍ଦିରକୁ ଲାଗି ଶୋଭା ବର୍ଦ୍ଧନ କରୁଥିବା ଦେବୀ ବା ଦେଓନଦୀ ସୃଷ୍ଟ ପ୍ରପାତ ଜଳର ପ୍ରଖର ସ୍ରୋତ ଓ ବନ୍ୟା ପରିସ୍ଥିତି ଯୋଗୁଁ ଶ୍ରୀହୀନ ହୋଇପଡ଼ିଛି ମୟୂରଭଞ୍ଜ ପ୍ରସିଦ୍ଧ ଦେବକୁଣ୍ଡ । ମନ୍ଦିର ସହ ମନ୍ଦିର ପରିସରର କ୍ଷତି ଛଡା ଭାଙ୍ଗିଯାଇଛି ମନ୍ଦିର ପାଚେରୀ ଓ ସଂଯୋଗ କାରୀ ପୋଲ ସହ ଯିବାଆସିବା ଚଲାରାସ୍ତାଟି ମଧ୍ୟ ଧୋଇ ଯାଇଛି । ପୁଣି ପୀଠକୁ ପହଁଚିବା ରାସ୍ତାଟି ଏବେ ବିପଦ ଜନକ ହୋଇଥିବାରୁ ୮ ଦିନ ହେଲା ପୂଜା ପାଇନାହାନ୍ତି ମା’ଅମ୍ବିକା ବୋଲି ଜଣାପଡ଼ିଛି । ଘଟଣା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଜୈବମଣ୍ଡଳରେ ଉଦଳା ଓ ବୃନ୍ଦାଗଡ଼ି ଛକରୁ ପ୍ରସିଦ୍ଧ ପର୍ଯ୍ୟଟନ ଓ ଆଧ୍ୟାତ୍ମିକ ପୀଠ ‘ଦେବକୁଣ୍ଡ’କୁ ରାସ୍ତା ସଂଯୋଗ ହୋଇଛି । ସମଗ୍ର ରାଜ୍ୟରେ ପରିଚିତ ଓ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ତଥା ଜଙ୍ଗଲ ମଧ୍ୟରେ ରହିଥିବା ଏହି ଦେବସ୍ଥଳୀ ବ୍ୟତୀତ ନିକଟରେ ଥିବା ପ୍ରପାତର ଶୋଭାକୁ ହାତ ପାହାନ୍ତରେ ଉପଭୋଗ କରିବାକୁ ବର୍ଷ ତମାମ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି । ଏହି ପୀଠ ସହ ଯୋଡି ହୋଇଥିବା କିମ୍ବଦନ୍ତୀ ପାଣ୍ଡବଙ୍କ ଅଜ୍ଞାତ ବାସର ସୂଚନା ଦିଏ । ପୁଣି ଦେବକୁଣ୍ଡ ଉପରକୁ ଦେବୀକୁଣ୍ଡ, ଦୁଗ୍ଧ କୁଣ୍ଡ, ତୈଳ କୁଣ୍ଡ ଓ ହରିଦ୍ରା କୁଣ୍ଡ ଭଳି ୪ଟି କୁଣ୍ଡ ରହିଥିବା ସ୍ଥଳେ ୫ମ ଓ ସର୍ବନିମ୍ନରେ ଥିବା ଦେବକୁଣ୍ଡକୁ ମିଶାଇ ଏ କ୍ଷେତ୍ରଟି ‘ପଞ୍ଚସାଗର ତୀର୍ଥ’ ଭାବେ ମଧ୍ୟ ପରିଚିତ । ଏହି ଅଧିଷ୍ଠାତ୍ରୀ ଦେବୀ ମା’ଅମ୍ବିକାଙ୍କ ମନ୍ଦିରକୁ ଲାଲସାହେବ ପ୍ରଫୁଲ୍ଲ ଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ଵାରା ନିର୍ମିତ ହୋଇଥିଲା ବୋଲି ଜଣାଯାଏ ।

ପୀଠରେ ପ୍ରତ୍ୟହ ପୂଜାର୍ଚ୍ଚନା ହେଉଥିବା ସମୟରେ ପ୍ରତିଦିନ ପର୍ଯ୍ୟଟକ ଆସିବା ଛଡା ମୟୂରଭଞ୍ଜ ପ୍ରସିଦ୍ଧ ମକର ସଂକ୍ରାନ୍ତି ସମୟରେ ଆୟୋଜିତ ମେଳାରେ ସବୁଠାରୁ ବଡ଼ ଜନସମାଗମ ହୋଇଥାଏ । ମାତ୍ର ଦୁଃଖଦ ଯେ, ସଂଯୋଗକାରୀ ପୋଲ ଭାଙ୍ଗିଯିବା ଯୋଗୁଁ ଗତ ୮ ଦିନ ହେବ ମା’ଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଅନଲାଇନ ପଞ୍ଜିକରଣ ମାଧ୍ୟମରେ ଦୂରରୁ ଆସୁଥିବା ଶହ ଶହ ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଥିବା ଜଣାପଡିବା ସହ ୱେବ ସାଇଟ ଅପଡେଟ ନେଇ ଅନେକ ପର୍ଯ୍ୟଟକ ଓ ଅଞ୍ଚଳବାସୀ ପାରିପାର୍ଶ୍ବିକ ପରିସ୍ଥିତିର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି । ତେବେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ପ୍ରଶାସନିକ ଓ ପର୍ଯ୍ୟଟନ ବିଭାଗ ମିଳିତ ଉଦ୍ୟମରେ ମା’ଅମ୍ବିକାଙ୍କ ପୂଜାକାର୍ଯ୍ୟ ଚାଲୁକରିବା ସହ ପର୍ଯ୍ୟଟକଙ୍କ ଆଗମନକୁ ସୁଗମ କରିବା ନିମନ୍ତେ କାର୍ଯ୍ୟରମ୍ଭକୁ ସମସ୍ତେ ଅନାଇ ରହିଛନ୍ତି ।





