ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:
ଝାରସୁଗୁଡ଼ା, ୫/୧୦ : ମୃତ୍ୟୁ ପରେ ମଣିଷର ଶେଷ ଠିକଣା ଶ୍ମଶାନ। ଏଠାରେ ମଣିଷ ନିଜ ପରିଜନଙ୍କୁ ଶେଷ ବିଦାୟ ଦେଇଥାଏ l ତେଣୁ ଶ୍ମଶାନ କେବଳ ଏକ ଦାହସ୍ଥଳ ନୁହେଁ, ଏହା ମାନବିକ ସମ୍ବେଦନା ଓ ଶେଷ ସମ୍ମାନ ସହ ଜଡ଼ିତ ଏକ ପବିତ୍ର ସ୍ଥାନ l କିନ୍ତୁ ଏହି ସ୍ଥାନଟି ଯଦି ଅପରିଚ୍ଛନ୍ନତା, ଅବ୍ୟବସ୍ଥା ଓ ଅବହେଳାର ଶିକାର ହୁଏ, ତେବେ ଏହା କେବଳ ପ୍ରଶାସନିକ ଅବହେଳା ନୁହେଁ, ବରଂ ମାନବିକତା ପ୍ରତି ଏକ ବଡ଼ ପ୍ରଶ୍ନଚିହ୍ନ l ଝାରସୁଗୁଡ଼ା ସହରର ସରବାହାଲ ରୋଡ୍ସ୍ଥିତ ପୁରାତନ ବୁରୋମାଲ ଶ୍ମଶାନର ବର୍ତ୍ତମାନ ସ୍ଥିତି ଏଭଳି ଅନେକ ପ୍ରଶ୍ନ ଉଠାଇଛି l ସ୍ୱାଧୀନତା ପୂର୍ବରୁ ସମାଜସେବାର ମହତ୍ ଉଦ୍ଦେଶ୍ୟରେ ସ୍ୱର୍ଗତ ରାମେଶ୍ବର ତିୱାରୀ ଦାହ ସଂସ୍କାର ପାଇଁ ଜମି ଦାନ କରିଥିଲେ l ପ୍ରାୟ ୪ ଏକର ୭୦ ଡିସିମିଲ ଜମିରେ ଅବସ୍ଥିତ ଏହି ଶ୍ମଶାନ ବୁରୋମାଲ, ସରବାହାଲ, ମାରୱାଡ଼ିପଡ଼ା, ମଙ୍ଗଳବଜାର, ଚୌକିପଡ଼ା ସମେତ ସହରର ବିଭିନ୍ନ ଅଞ୍ଚଳର ଲୋକଙ୍କ ଦାହ ସଂସ୍କାରର ପ୍ରମୁଖ ସ୍ଥଳ ଭାବେ ଦୀର୍ଘଦିନ ଧରି ବ୍ୟବହୃତ ହୋଇଆସୁଛି l ଶ୍ମଶାନର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୌର ପରିଷଦ ପକ୍ଷରୁ ସମୟକ୍ରମେ ଭିତ୍ତିଭୂମି ବିକାଶ ଓ ବିଭିନ୍ନ ସୁବିଧା ସୃଷ୍ଟି ନିମନ୍ତେ ପଦକ୍ଷେପ ନିଆଯାଇଛି l

କିନ୍ତୁ ନିୟମିତ ରକ୍ଷଣାବେକ୍ଷଣ ଓ ତଦାରଖ ଅଭାବରୁ ଏସବୁ ବ୍ୟବସ୍ଥାର ସୁଫଳ ଏବେ ମଳିନ ପଡ଼ିଛି l ଲକ୍ଷଲକ୍ଷ ଟଙ୍କାର ଭିତ୍ତିଭୂମି ସୃଷ୍ଟି ହେଉଥିବା ବେଳେ ତାହାର ରକ୍ଷଣାବେକ୍ଷଣ ପ୍ରତି ଅବହେଳା ଶ୍ମଶାନର ବର୍ତ୍ତମାନ ଚିତ୍ରକୁ ଅଧିକ ଦୟନୀୟ କରିଛି l ପୂର୍ବତନ ବିଧାୟକ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଉଦ୍ୟମରେ ଏଠାରେ ଜଗୁଆଳୀ ବ୍ୟବସ୍ଥା କରାଯାଇଥିଲା l ବିଜୁପଟ୍ଟନାୟକ ସୋସିଆଲ ଆଣ୍ଡ ୱେଲଫେୟାର ଆସୋସିଏସନ୍ ପକ୍ଷରୁ ଜଗୁଆଳୀଙ୍କୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି l ସ୍ୱର୍ଗତ ମହାନ୍ତିଙ୍କ ଅବର୍ତ୍ତମାନରେ ମଧ୍ୟ ଏହି ସହାୟତା ଜାରି ରଖିଛି ଆସୋସିଏସନ୍ର l ତେବେ ଜଗୁଆଳୀଙ୍କୁ ମିଳୁଥିବା ସହାୟତା ରାଶି ଯଥେଷ୍ଟ ନଥିବାରୁ ସେମାନେ ଦୟନୀୟ ଅବସ୍ଥାରେ ଜୀବନ ଯାପନ କରୁଥିବା ଅଭିଯୋଗ ରହିଛି l ଅନ୍ୟପଟେ ସୀମିତ ସହାୟତା ସତ୍ତ୍ୱେ ଦାହ ସଂସ୍କାର ସମୟରେ ଆବଶ୍ୟକ ସେବା ଯୋଗାଇ ଆସୁଛନ୍ତି ଜଗୁଆଳୀ l କିନ୍ତୁ ଏକ ବଡ଼ ପ୍ରଶ୍ନ ହେଉଛି, ସହରର ଏତେ ପୁରାତନ ଓ ବ୍ୟସ୍ତ ଶ୍ମଶାନ ପାଇଁ ପୌର ପରିଷଦ ପକ୍ଷରୁ କାହିଁକି ସ୍ଥାୟୀ ଜଗୁଆଳୀ ବ୍ୟବସ୍ଥା ହୋଇନାହିଁ ? ବିଶେଷକରି ପୁରୁଣାବସ୍ତି ଓ କାଳୀ ମନ୍ଦିର ଶ୍ମଶାନର ରକ୍ଷଣାବେକ୍ଷଣ ପାଇଁ ପୌର ପରିଷଦ ଜଗୁଆଳୀ ନିୟୋଜିତ କରିଥିବା ବେଳେ ବୁରୋମାଲ ଶ୍ମଶାନ ପ୍ରତି ଏଭଳି ଅବହେଳା ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି l ଜଗୁଆଳୀ ଅଭାବରୁ ଶ୍ମଶାନର ପରିଚ୍ଛନ୍ନତା, ନିରାପତ୍ତା ଓ ନିୟମିତ ରକ୍ଷଣାବେକ୍ଷଣ ପ୍ରଭାବିତ ହେଉଛି l ଶ୍ମଶାନର ପାଚେରୀ ଭାଙ୍ଗି ପଡ଼ିଥିବା ବେଳେ ପରିସରରେ ଅପରିଚ୍ଛନ୍ନ ପରିବେଶ ଓ ଅବ୍ୟବସ୍ଥା ଦେଖିବାକୁ ମିଳୁଛି l ନିୟମିତ ସଫେଇ ଅଭାବରୁ ଦାହ ସଂସ୍କାର ପାଇଁ ଆସୁଥିବା ପରିବାରବର୍ଗଙ୍କୁ ମଧ୍ୟ ଅସୁବିଧା ଭୋଗିବାକୁ ପଡ଼ୁଛି l ଯେଉଁ ସ୍ଥାନକୁ ଲୋକେ ନିଜ ପ୍ରିୟଜନଙ୍କୁ ଶେଷ ବିଦାୟ ଦେବାକୁ ଆସନ୍ତି, ସେଠାରେ ଅପରିଚ୍ଛନ୍ନତା ଓ ଅବ୍ୟବସ୍ଥାର ଦୃଶ୍ୟ ସ୍ୱାଭାବିକ ଭାବେ ମନକୁ ବ୍ୟଥିତ କରୁଛି l ଭିତ୍ତିଭୂମି ପାଇଁ ଅର୍ଥ ବ୍ୟୟ ହେଉଛି, କିନ୍ତୁ ତାହାକୁ ସଚଳ ଓ ସୁରକ୍ଷିତ ରଖିବା ପାଇଁ ନିୟମିତ ବ୍ୟବସ୍ଥା ନାହିଁ l ନିୟମିତ ସଫେଇ, ଆଲୋକ ବ୍ୟବସ୍ଥା ସୁଦୃଢ଼ କରିବା, ଭାଙ୍ଗିଥିବା ପାଚେରୀ ଓ ଅନ୍ୟାନ୍ୟ ଭିତ୍ତିଭୂମିର ମରାମତି ସହ ଜଣେ ସ୍ଥାୟୀ ଜଗୁଆଳୀ ନିୟୋଜନ ଏବେ ଜରୁରୀ ହୋଇପଡ଼ିଛି l ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୌର ପ୍ରଶାସନ ପଦକ୍ଷେପ ନେଇ ବୋଲି ସାଧାରଣରେ ଦାବି ହେଉଛି l





