ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ଫୁଲବାଣୀ ଅଚଳ

ଇଣ୍ଡିଆ ମେଣ୍ଟର ବନ୍ଦ ଡାକରାରେ ଫୁଲବାଣୀ ଅଚଳ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:

ଫୁଲବାଣୀ, ୮/୧୦(ବିପ୍ର): ଇଣ୍ଡିଆ ମେଣ୍ଟର ଆହ୍ୱାନ କ୍ରମେ ଗୁରୁବାର କନ୍ଧମାଳ ଜିଲ୍ଲା ସମେତ ଫୁଲବାଣୀ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବନ୍ଦ ପ୍ରଭାବରେ ସହରର ଜନଜୀବନ ଅଚଳ ହୋଇପଡ଼ିଥିବା ବେଳେ ବସ୍‌ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ରହିବାରୁ ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ପ୍ରଭାବିତ ହୋଇଥିଲା। ସକାଳୁ ଫୁଲବାଣୀ ସହରର ମାଡ଼ିକୁନ୍ଦା ଛକ, ଗାନ୍ଧୀ ଛକ ଓ ଏଫ୍‌ସିଆଇ ଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳର ନେତା ଓ କର୍ମୀମାନେ ପିକେଟିଂ କରିଥିଲେ। କେତେକ ସ୍ଥାନରେ ରାସ୍ତା ଉପରେ ଟାୟାର ଜାଳି ପ୍ରତିବାଦ କରାଯିବା ସହ ମୁଖ୍ୟ ରାସ୍ତାରେ ଯାନବାହନ ଚଳାଚଳକୁ ବାଧା ଦିଆଯାଇଥିଲା। ଫଳରେ ସହରର ବିଭିନ୍ନ ରାସ୍ତାରେ ଯାତାୟାତ ବ୍ୟବସ୍ଥା ବ୍ୟାହତ ହୋଇଥିଲା। ବନ୍ଦ ପାଳନରେ କଂଗ୍ରେସ, ସମାଜବାଦୀ ପାର୍ଟି, ସିପିଆଇ(ଏମ୍‌) ସମେତ ଇଣ୍ଡିଆ ମେଣ୍ଟର ବିଭିନ୍ନ ସହଯୋଗୀ ଦଳର ନେତା ଓ କର୍ମୀମାନେ ସାମିଲ ହୋଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ା, ଶ୍ରମିକ ନେତା ତଥା ଆଇଏନ୍‌ଟିୟୁସି ସଭାପତି ଘନ ଶବର, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲଙ୍କ ସମେତ ବହୁ ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ବନ୍ଦ ପାଳନରେ ଭାଗ ନେଇଥିଲେ।


ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକର ପଛରେ ଏକାଧିକ ଦାବି ରହିଛି। ବିଶେଷକରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଉଠିଥିବା ଅଭିଯୋଗର ତଦନ୍ତ, ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ, ୨୦୨୬ ପ୍ରତ୍ୟାହାର ଏବଂ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ସୁରକ୍ଷା ଆଦି ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି। ଏଥିସହ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଏବଂ ବନ୍ୟା ବିପନ୍ନଙ୍କୁ ଯଥାଶୀଘ୍ର ପୁନର୍ବାସ, କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ଦାବି ଉଠାଯାଇଛି।
ବନ୍ଦ ଯୋଗୁଁ ଫୁଲବାଣୀ ସହରରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନଥିବା ବେଳେ ଦୋକାନବଜାର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା। ବସ୍‌ ଚଳାଚଳ ବନ୍ଦ ରହିବାରୁ ବାହାରକୁ ଯାତାୟାତ କରୁଥିବା ଯାତ୍ରୀ ଓ ଦୈନନ୍ଦିନ କାମରେ ଯାଉଥିବା ଲୋକମାନେ ଅସୁବିଧାରେ ପଡ଼ିଥିଲେ। ରାସ୍ତାଘାଟରେ ଯାନବାହନ ସଂଖ୍ୟା ମଧ୍ୟ ଅନ୍ୟଦିନ ତୁଳନାରେ କମ୍‌ ଦେଖିବାକୁ ମିଳିଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବରେ ବସ୍‌, ଅଟୋ ଓ ଅନ୍ୟାନ୍ୟ ଯାନ ଚଳାଚଳ ପ୍ରଭାବିତ ହୋଇଥିବା ଖବର ମିଳିଛି। ବନ୍ଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ପୋଲିସ ପକ୍ଷରୁ ଫୁଲବାଣୀ ସହରର ବିଭିନ୍ନ ଛକ ଓ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆନ୍ଦୋଳନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବା ସହ ଜରୁରୀକାଳୀନ ସେବାଗୁଡ଼ିକୁ ବନ୍ଦରୁ ବାଦ୍‌ ଦେବା ପାଇଁ ଆହ୍ୱାନ ଦିଆଯାଇଥିଲା। ରାଜ୍ୟସ୍ତରରେ ହସ୍ପିଟାଲ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ ଓ କ୍ଷୀର ଯୋଗାଣ ଭଳି ଜରୁରୀ ସେବାକୁ ବନ୍ଦର ପରିସରରୁ ବାଦ୍‌ ରଖାଯାଇଥିଲା। ଏହି ବନ୍ଦ ପାଳନକୁ ନେଇ ଫୁଲବାଣୀ ସହରରେ ଦିନତମାମ ରାଜନୈତିକ ଚର୍ଚ୍ଚା ଜାରି ରହିଥିବା ବେଳେ ଇଣ୍ଡିଆ ମେଣ୍ଟର ନେତା ଓ କର୍ମୀମାନେ ନିଜ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ସମ୍ପର୍କରେ କହିଛନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଟକରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ଉ