ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:
ନବରଙ୍ଗପୁର 09.11.2026 – ଜନସାଧାରଣଙ୍କ ବିଭିନ୍ନ ସମସ୍ୟା, ଅଭାବ ଓ ଅଭିଯୋଗର ଶୁଣାଣି କରି ସେଗୁଡ଼ିକର ତ୍ୱରିତ ତଥା ସୁବ୍ୟବସ୍ଥିତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଆଜି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡଃ ପ୍ରମୋଦ କୁମାର ପୃଷ୍ଟି ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଆଦିତ୍ୟ ସେନ୍ ମିଳିତ ଭାବେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟାର ଶୁଣାଣି କରିଥିଲେ। ଅଭିଯୋଗକାରୀମାନେ ସେମାନଙ୍କର ବ୍ୟକ୍ତିଗତ ତଥା ଗ୍ରାମାଞ୍ଚଳଭିତ୍ତିକ ସମସ୍ୟାଗୁଡ଼ିକୁ ଅଧିକାରୀମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଶିବିରରେ ମୋଟ ୨୫ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ୧୨ଟି ବ୍ୟକ୍ତିଗତ ଏବଂ ୧୩ଟି ଗ୍ରାମସ୍ତରୀୟ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୨ଟି ଅଭିଯୋଗର ଘଟଣାସ୍ଥଳରେ ହିଁ ତତ୍କାଳ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗଗୁଡ଼ିକର ପ୍ରକୃତ ସ୍ଥିତି ଅନୁଧ୍ୟାନ କରି ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ ଏବଂ ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା।

ଅତିରିକ୍ତ ଜିଲ୍ଲାପାଳ ଡଃ ପୃଷ୍ଟି ଅଭିଯୋଗଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗଗୁଡ଼ିକ ତତ୍ପରତାର ସହ ତଦନ୍ତ କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସେନ୍ ଜନସାଧାରଣଙ୍କ ପୁଲିସ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ଶୁଣାଣି କରି ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ବ୍ଲକ ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ବାଇଁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ତଥା ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ଶୁଣାଣି ଓ ସମାଧାନ ପ୍ରକ୍ରିୟାରେ ସହଯୋଗ କରିଥିଲେ l ଜନସାଧାରଣଙ୍କ ନିକଟରେ ପ୍ରଶାସନକୁ ଅଧିକ ସୁଲଭ, ସ୍ୱଚ୍ଛ ଓ ଉତ୍ତରଦାୟୀ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ମାଧ୍ୟମରେ ଲୋକାଭିମୁଖୀ ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏହି ଜନ ଅଭିଯୋଗ ଶୁଣାଣିର ମୁଖ୍ୟ ଲକ୍ଷ୍ୟ ଅଟେ।





