ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ /କେନ୍ଦୁଝର :
କେନ୍ଦୁଝର,୨୧/୧୧,ବେଆଇନ ଗୋଚାଲାଣ ବିରୋଧରେ କେନ୍ଦୁଝର ପୋଲିସର ଚଢ଼ାଉ ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାକୁ ଉଦ୍ୟମ କରିଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ଧୋବାଡିହାର ସୋନୁ ହୋ (୨୨) ଓ ଶିବ ବେହେରା (୨୩)।
ଏହି ଚଢ଼ାଉ ସମୟରେ ପୋଲିସ ୧୫ଟି ଗୋରୁଙ୍କୁ ଉଦ୍ଧାର କରିବା ସହ ଗୋଚାଲାଣରେ ବ୍ୟବହୃତ ଦୁଇଟି ପିକ୍ଅପ୍ ଗାଡ଼ି ଜବତ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଗୋରୁଗୁଡ଼ିକୁ ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁରରୁ ଚୋରାରେ ଆଣି ମୟୂରଭଞ୍ଜ ଜିଲ୍ଲାର ତେଣ୍ଟୋପୋଷି, ରାଇରଙ୍ଗପୁର ଓ ଯଶିପୁର ଅଞ୍ଚଳକୁ ବେଆଇନ ଭାବେ ଚାଲାଣ କରାଯାଉଥିଲା। କେନ୍ଦୁଝର ପୋଲିସର ଲଗାତାର ଓ ଜୋରଦାର ଚଢ଼ାଉ ଯୋଗୁଁ ଗତ କିଛି ମାସ ଧରି ଗୋଚାଲାଣ ମାଫିଆମାନେ ନିଷ୍କ୍ରିୟ ହୋଇ ରହିଥିଲେ। ତେବେ ପୁନର୍ବାର ଏହି ବେଆଇନ କାରବାର ଆରମ୍ଭ ହୋଇଥିବା ନେଇ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ମିଳିବା ପରେ ଗତକାଲି ରାତିରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏହି ସଫଳତା ମିଳିଛି। ଏହି ଘଟଣାରେ ପାଟଣା ଥାନା କେସ୍ ନଂ ୩୫୭/୨୬ ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।ବେଆଇନ ଗୋଚାଲାଣ ଓ ସଂଗଠିତ ଅପରାଧ ବିରୋଧରେ କେନ୍ଦୁଝର ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ।






