ସନ୍ତୋଷ କୁମାର ପଟ୍ଟନାୟକ /ଟିଟିଲାଗଡ/ସମୀକ୍ଷା ନ୍ୟୁଜ:
ରାଜ୍ୟରେ ସ୍ୱାସ୍ଥ୍ୟସେବା ସୁଧୁରିଥିବା ନେଇ ବଡ଼ ବଡ଼ ଦାବି କରାଯାଉଥିବା ବେଳେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଏକ ଅଭାବନୀୟ ଓ ବିକଳ ଚିତ୍ର ସାମ୍ନାକୁ ଆସିଛି। ଶବ ସଂରକ୍ଷଣ କେନ୍ଦ୍ର ସମ୍ମୁଖରେ ଦୀର୍ଘ ଘଣ୍ଟା ଧରି ମୃତଦେହ ଖୋଲା ଆକାଶତଳେ ପଡ଼ିରହିବା ଘଟଣା ବେଶ୍ ଚିନ୍ତାଜନକ ଅଟେ।

ମିଳିଥିବା ସୂଚନା ମୁତାବକ, ଭାଟିପଡ଼ା ଗାଁର ଜଣେ ୧୬ ବର୍ଷର ନାବାଳିକା ଗୀତାଞ୍ଜଳି ଖରସେଲ ଜମିରେ ଘାସ କାଟୁଥିବା ବେଳେ ବଜ୍ରାଘାତର ଶିକାର ହୋଇ ପ୍ରାଣ ହରାଇଥିଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ମାତ୍ର ଦୁର୍ଭାଗ୍ୟର ବିଷୟ, ଶବ ସଂରକ୍ଷଣ କେନ୍ଦ୍ରରେ ତାଲା ପଡ଼ିଥିବାରୁ ପରିବାର ଲୋକେ ବର୍ଷାରେ ଭିଜିଭିଜି ଅନ୍ଧକାର ମଧ୍ୟରେ ଶବକୁ ବାହାରେ ରଖିବାକୁ ବାଧ୍ୟ ହୋଇଥିଲେ।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ପିଟାଲ ମେନେଜର ଅର୍ପିତା ବେହେରାଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ଶେଷରେ ସ୍ଥାନୀୟ ସାମ୍ବାଦିକମାନେ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏସ୍.ଡ଼ି.ଏମ୍.ଓ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଚାବି ନ ମିଳିବାରୁ ଶବଟି ଦୀର୍ଘ ସମୟ ଧରି ବାହାରେ ପଡ଼ିରହିଥିଲା।

ମୃତ ଶରୀର ପ୍ରତି ଏଭଳି ଅବହେଳା ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦାୟୟିତ୍ୱରେ ଥିବା ମେନେଜରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଟିପଡ଼ା ଗାଁବାସୀ ଦାବି କରିଛନ୍ତି






