ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କାଗଜ କଲମରେ ସୀମିତ ସଡ଼କ ସୁରକ୍ଷା ଯୋଜନା: ଓଭରଲୋଡିଂ ଗାଡ଼ିଙ୍କ ଦୌରାତ୍ମ୍ୟ

କାଗଜ କଲମରେ ସୀମିତ ସଡ଼କ ସୁରକ୍ଷା ଯୋଜନା: ଓଭରଲୋଡିଂ ଗାଡ଼ିଙ୍କ ଦୌରାତ୍ମ୍ୟ – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ, ସ୍ଵତନ୍ତ୍ର ପ୍ରତିନିଧି, ଝାରସୁଗୁଡ଼ା:

ଝାରସୁଗୁଡ଼ା,୬/୧୦ : ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାରୀ ସ୍ତରରେ ଯୋଜନା ପରେ ଯୋଜନା ପ୍ରସ୍ତୁତ ହେଉଛି l ସଡ଼କ ସୁରକ୍ଷା ନାମରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି l ଆଧୁନିକ ଇଞ୍ଜିନିୟରିଂ ବ୍ୟବସ୍ଥା, ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ଭଳି ପଦକ୍ଷେପ ନିଆଯାଉଥିବା ଦାବି ହେଉଛି l କିନ୍ତୁ ଝାରସୁଗୁଡ଼ା ସହରର ରାସ୍ତାରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି, ତାହା ସଡ଼କ ସୁରକ୍ଷା ବ୍ୟବସ୍ଥାର ବାସ୍ତବତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଉଛି l ନିୟମ ମାନିବା ପରିବର୍ତ୍ତେ ନିୟମକୁ ଆଖିଠାର ମାରି ଅତ୍ୟଧିକ ମାଲ୍ ପରିବହନ କରୁଥିବା ତିନିଚକିଆ ଓ ଚାରିଚକିଆ ଯାନ ଜନଗହଳିପୂର୍ଣ୍ଣ ରାସ୍ତାରେ ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି l ପ୍ରଶ୍ନ ଉଠୁଛି, ସଡ଼କ ସୁରକ୍ଷା ପାଇଁ ଏତେ ଯୋଜନା ଓ ବ୍ୟୟବରାଦ କାହା ପାଇଁ, ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ଜୀବନ ଯଦି ସୁରକ୍ଷିତ ନୁହେଁ, ତେବେ ସୁରକ୍ଷା ବ୍ୟବସ୍ଥାର ସଫଳତାକୁ କେଉଁ ମାପଦଣ୍ଡରେ ବିଚାର କରାଯିବ l

କାଗଜ କଲମରେ ସୀମିତ ସଡ଼କ ସୁରକ୍ଷା ଯୋଜନା: ଓଭରଲୋଡିଂ ଗାଡ଼ିଙ୍କ ଦୌରାତ୍ମ୍ୟ – ସମୀକ୍ଷା

“ମୁନାଫା ପାଇଁ ନିୟମକୁ ବଳି”
ଅଧିକ ଲାଭ ଆଶାରେ କେତେକ ପରିବହନକାରୀ ଯାନର ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ସାମଗ୍ରୀ ପରିବହନ କରୁଥିବା ଅଭିଯୋଗ ରହିଛି l ଅତ୍ୟଧିକ ମାଲ୍ ବୋଝେଇ ଯାନ ରାସ୍ତାରେ ଚଳାଚଳ କରିବା ଦ୍ୱାରା ଯାତାୟାତରେ ବାଧା ସୃଷ୍ଟି ହେବା ସହ ଅନ୍ୟ ଯାନଚାଳକ ଓ ପଥଚାରୀଙ୍କ ସୁରକ୍ଷା ପ୍ରତି ବିପଦ ଦେଖାଦେଉଛି l ବିଶେଷକରି ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଯାନର ଚଳାଚଳ ସାଧାରଣ ଲୋକଙ୍କୁ ଆଶଙ୍କିତ କରୁଛି l ପରିବହନ ବ୍ୟବସାୟରେ ଲାଭ କମାଇବା ଏକ ସ୍ୱାଭାବିକ ବ୍ୟାବସାୟିକ ଉଦ୍ଦେଶ୍ୟ ହୋଇପାରେ l କିନ୍ତୁ ସେହି ଲାଭ ଯଦି ନିୟମ ଉଲ୍ଲଂଘନ ଓ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇ ହାସଲ କରାଯାଏ, ତେବେ ତାହାକୁ କେବଳ ବ୍ୟବସାୟିକ ତ୍ରୁଟି କହି ଏଡ଼ାଇ ଦିଆଯାଇପାରିବ ନାହିଁ l ଏଠାରେ ଆଇନର କାର୍ଯ୍ୟକାରିତା ଓ ପ୍ରଶାସନିକ ଉତ୍ତରଦାୟିତ୍ୱ ଉଭୟ ଗୁରୁତ୍ୱପୂର୍ଣ୍ଣ l

“ଆଞ୍ଚଳିକ ପରିବହନ ବିଭାଗର ଦାୟିତ୍ୱ କ’ଣ”
ଏହି ପରିସ୍ଥିତିରେ ଝାରସୁଗୁଡ଼ା ଆଞ୍ଚଳିକ ପରିବହନ ବିଭାଗର କାର୍ଯ୍ୟଶୈଳୀକୁ ନେଇ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ l ଯାନବାହନର ଓଜନ ଓ ପରିବହନ କ୍ଷମତା ଯାଞ୍ଚ କରିବା, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନସମ୍ମତ ପଦକ୍ଷେପ ନେବା ଏବଂ ସଡ଼କରେ ସୁରକ୍ଷିତ ଯାତାୟାତ ସୁନିଶ୍ଚିତ କରିବା ଭଳି ଦାୟିତ୍ୱ ଥିବା ସତ୍ତ୍ୱେ ଯଦି ଏଭଳି ଅଭିଯୋଗ ବାରମ୍ବାର ସାମ୍ନାକୁ ଆସୁଛି, ତେବେ ଯାଞ୍ଚ ବ୍ୟବସ୍ଥାର ପ୍ରଭାବଶୀଳତା ନେଇ ପ୍ରଶ୍ନ ଉଠିବ ନାହିଁ କାହିଁକି l

“ବିଭାଗ ପକ୍ଷରୁ କେତେ ଯାନ ଯାଞ୍ଚ କରାଯାଉଛି” କେତୋଟି ଯାନ ନିର୍ଦ୍ଧାରିତ କ୍ଷମତାଠାରୁ ଅଧିକ ମାଲ୍ ପରିବହନ କରୁଥିବା ଧରାପଡ଼ିଛି, କେତେ ଜରିମାନା ଆଦାୟ ହୋଇଛି, କେଉଁ ଅଞ୍ଚଳରେ ନିୟମ ଉଲ୍ଲଂଘନ ଅଧିକ ହେଉଛି ଏବଂ ସେଠାରେ ନିୟମିତ ଯାଞ୍ଚ କାହିଁକି ହେଉନାହିଁ, ଏସବୁ ପ୍ରଶ୍ନର ତଥ୍ୟଭିତ୍ତିକ ଉତ୍ତର ବିଭାଗ ପକ୍ଷରୁ ସାର୍ବଜନୀନ ହେବା ଆବଶ୍ୟକ l କେବଳ ଅଭିଯାନ ସମୟରେ ଯାଞ୍ଚ, ଜରିମାନା ଆଦାୟ ଓ ସଚେତନତା କାର୍ଯ୍ୟକ୍ରମର ଫଟୋ ପ୍ରଚାର କରିଦେଲେ ସଡ଼କ ସୁରକ୍ଷାର ଦାୟିତ୍ୱ ସମ୍ପନ୍ନ ହୁଏ ନାହିଁ l ନିୟମିତ ତଦାରଖ ଓ ନିରପେକ୍ଷ ଆଇନ ପ୍ରୟୋଗ ହିଁ ପ୍ରକୃତ ସଫଳତାର ମାପକାଠି l

‘ପୁଲିସର ନୀରବତା, ଅସାଧୁଙ୍କୁ ସୁଯୋଗ”
ସହରର ଜନଗହଳିପୂର୍ଣ୍ଣ ରାସ୍ତାରେ ଯଦି ଅତ୍ୟଧିକ ମାଲ୍ ବୋଝେଇ ଯାନ ବିପଦଜନକ ଭାବେ ଚଳାଚଳ କରୁଛି, ତେବେ ଟ୍ରାଫିକ୍ ପୁଲିସ ଓ ପରିବହନ ବିଭାଗର ସମନ୍ୱିତ ଯାଞ୍ଚ ବ୍ୟବସ୍ଥା କେଉଁଠି, ଏପରି ଯାନଗୁଡ଼ିକ କେଉଁ ସମୟରେ ଓ କେଉଁ ରାସ୍ତାରେ ଚଳାଚଳ କରୁଛି, ତାହା ଚିହ୍ନଟ କରି ନିୟନ୍ତ୍ରଣ କରିବା କ’ଣ ଅସମ୍ଭବ l
ଯଦି କୌଣସି ଅଧିକାରୀଙ୍କ ଅବହେଳା, ଅନିୟମିତତା କିମ୍ବା ଜାଣିଶୁଣି କର୍ତ୍ତବ୍ୟରେ ଅବହେଳା ଯୋଗୁଁ ନିୟମ ଉଲ୍ଲଂଘନକାରୀମାନେ ସୁଯୋଗ ପାଉଥିବା ଅଭିଯୋଗ ରହିଛି, ତେବେ ତାହାର ନିରପେକ୍ଷ ତଦନ୍ତ ହେବା ଉଚିତ l ପ୍ରମାଣ ନଥାଇ କାହାକୁ ଦୋଷୀ କହିବା ଯେପରି ଅନୁଚିତ, ସେହିପରି ଅଭିଯୋଗ ଉଠିଲେ ତାହାକୁ ଅଣଦେଖା କରିବା ମଧ୍ୟ ପ୍ରଶାସନ ପାଇଁ ଶୋଭନୀୟ ନୁହେଁ l

କାଗଜ କଲମରେ ସୀମିତ ସଡ଼କ ସୁରକ୍ଷା ଯୋଜନା: ଓଭରଲୋଡିଂ ଗାଡ଼ିଙ୍କ ଦୌରାତ୍ମ୍ୟ – ସମୀକ୍ଷା

“ଦୁର୍ଘଟଣା ପରେ ନୁହେଁ, ପୂର୍ବରୁ ଜାଗୁ ପ୍ରଶାସନ”
ସଡ଼କ ସୁରକ୍ଷା କେବଳ ରାସ୍ତା ନିର୍ମାଣ, ସୂଚନାଫଳକ ସ୍ଥାପନ କିମ୍ବା ସଚେତନତା ଶୋଭାଯାତ୍ରା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ l ଏଥିପାଇଁ ନିୟମିତ ଯାନ ଯାଞ୍ଚ, ଓଜନ ମାପିବା ବ୍ୟବସ୍ଥାର ସକ୍ରିୟ ବ୍ୟବହାର, ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନସମ୍ମତ କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକ ସ୍ଥଳରେ ଭାରୀ ଯାନ ଚଳାଚଳ ନିୟନ୍ତ୍ରଣ ଭଳି ପଦକ୍ଷେପ ଜରୁରୀ l ଜିଲ୍ଲା ପ୍ରଶାସନ ଏହି ଅଭିଯୋଗଗୁଡ଼ିକର ଗମ୍ଭୀରତାକୁ ବିଚାର କରି ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସର କାର୍ଯ୍ୟକାରିତାର ସମୀକ୍ଷା କରିବା ଆବଶ୍ୟକ l ଯାଞ୍ଚ ଓ ଜରିମାନା ସମ୍ପର୍କିତ ତଥ୍ୟ ପ୍ରକାଶ ସହ ଦାୟିତ୍ୱରେ ଅବହେଳା ପ୍ରମାଣିତ ହେଲେ ଉଚିତ ପଦକ୍ଷେପ ନିଆଯିବା ଦରକାର l କାରଣ, ଦୁର୍ଘଟଣା ଘଟିବା ପରେ ଶୋକ ପ୍ରକାଶ, କ୍ଷତିପୂରଣ ଘୋଷଣା ଓ ତଦନ୍ତ ନିର୍ଦ୍ଦେଶ ଦେବା ଅପେକ୍ଷା ଦୁର୍ଘଟଣାକୁ ପୂର୍ବରୁ ରୋକିବା ହିଁ ପ୍ରଶାସନର ପ୍ରକୃତ ଦାୟିତ୍ୱ l ଝାରସୁଗୁଡ଼ାବାସୀଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ, ସଡ଼କ ସୁରକ୍ଷା ପାଇଁ ଯୋଜନା ଓ ଅର୍ଥ ବ୍ୟୟ ହେଉଥିବା ବେଳେ, ରାସ୍ତାରେ ନିୟମର ରାଜୁତି ଚାଲିବ ନା ନିୟମ ଉଲ୍ଲଂଘନକାରୀଙ୍କ ମନମାନି, ଏହାର ଉତ୍ତର ଆଞ୍ଚଳିକ ପରିବହନ ବିଭାଗ ଓ ପୁଲିସ ପ୍ରଶାସନକୁ କେବଳ ବିବୃତିରେ ନୁହେଁ, କାର୍ଯ୍ୟରେ କରି ଦେଖାଉ ବୋଲି ସାଧାରଣରେ ଦାବି ହେଉଛି l

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସଫଳ ପ୍ରସିକ୍ୟୁସନ ପାଇଁ ଏପିପି ପ୍ରଶାନ୍ତ ରଥଙ୍କୁ ଡିଜିପି ସମ୍ମାନ: ପୋଲିସ ମୁଖ୍ୟାଳୟରେ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଅରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ