ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ମାନବିକତା ଓ ସାହସିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଯୁବ ସମାଜସେବୀ ତଥା ଯଶିପୁର ବିଧାନସଭା ଆସନର ପୂର୍ବତନ ପ୍ରାର୍ଥୀ ଗୋଲକ ନାୟକ। ଖେଳୁଥିବା ସମୟରେ ଅସାବଧାନତାବଶତଃ ଏକ କୂଅରେ ଖସିପଡ଼ିଥିବା ମାତ୍ର ଅଢ଼େଇ ବର୍ଷର ଶିଶୁକୁ ନିଜ ଜୀବନକୁ ବାଜି ଲଗାଇ କୂଅ ମଧ୍ୟକୁ ଡେଇଁ ଉଦ୍ଧାର କରିଛନ୍ତି ସେ। ସୂଚନା ଅନୁଯାୟୀ, ଶୁକୃଳି ବ୍ଲକ ଯାମୁନ୍ତି ଗ୍ରାମର ଘୁଣ୍ଟି ବଣି ସାହିର କାର୍ତ୍ତିକ ସି ଓ ରୁନୁ ନାୟକଙ୍କ ଅଢ଼େଇ ବର୍ଷର ପୁଅ ରିଶଭ ସି ନିଜ ଗ୍ରାମ ନିକଟରେ ଖେଳୁଥିବା ସମୟରେ ଅସାବଧାନତାବଶତଃ ନିକଟସ୍ଥ ଏକ କୂଅ ମଧ୍ୟକୁ ଖସି ପଡ଼ିଥିଲା। ଏହି ସମୟରେ କୌଣସି କାମରେ ସେହି ଅଞ୍ଚଳରେ ଉପସ୍ଥିତ ଥିବା ଗୋଲକ ନାୟକ ଓ ତାଙ୍କ ସହଯୋଗୀ ରଣଜିତ ନାୟକ ଏବଂ ଶୁଭମ ନାୟକ କୂଅ ଭିତରୁ କୌଣସି ଭାରି ଜିନିଷ ପଡ଼ିବା ଭଳି ଶବ୍ଦ ଶୁଣିଥିଲେ। ସନ୍ଦେହ ହେବାରୁ ସେମାନେ କୂଅ ନିକଟକୁ ଯାଇ ଦେଖିବାରୁ ଭିତରେ ଏକ ଶିଶୁ ଖସିପଡ଼ିଥିବା ଜାଣିବାକୁ ପାଇଥିଲେ। ମୁହୂର୍ତ୍ତକ ମଧ୍ୟରେ ପରିସ୍ଥିତିର ଗମ୍ଭୀରତା ବୁଝି ଗୋଲକ ନାୟକ ଆଦୌ ବିଳମ୍ବ ନକରି କୂଅ ମଧ୍ୟକୁ ଡେଇଁ ପଡ଼ିଥିଲେ। ପରେ ଶିଶୁଟିକୁ ଉପରକୁ ଉଠାଇ ନିଜ ହାତରେ ଧରି ରଖିଥିଲେ। ଏପଟେ ତାଙ୍କ ସହଯୋଗୀମାନେ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ଦଉଡ଼ି ମାଧ୍ୟମରେ ଉଭୟଙ୍କୁ ସୁରକ୍ଷିତ ଭାବେ କୂଅରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ଶିଶୁଟି ସୁରକ୍ଷିତ ଥିବାବେଳେ ଶିଶୁକୁ ଉଦ୍ଧାର କରିବା ସମୟରେ ଗୋଲକ ନାୟକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଓ କ୍ଷତ ସୃଷ୍ଟି ହୋଇଛି। ତେବେ ନିଜ ସୁରକ୍ଷା କଥା ଚିନ୍ତା ନକରି ଏକ ନିରୀହ ଶିଶୁର ଜୀବନ ରକ୍ଷା କରିବାକୁ ଗୋଲକ ନାୟକ ଦେଖାଇଥିବା ସାହସ ଓ ମାନବିକତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।






