ରତିକାନ୍ତ ନାୟକ/ସମୀକ୍ଷା ନିୟୁଜ /ଭଦ୍ରକ ୧୪/୧୧:
ଧୂଷୁରୀ ଅଞ୍ଚଳର ସାମଗ୍ରିକ ବିକାଶ, ମୌଳିକ ସମସ୍ୟାର ସମାଧାନ ଏବଂ ଜନସାଧାରଣଙ୍କ ନ୍ୟାଯ୍ୟ ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ଲକ୍ଷ୍ୟରେ ଧୂଷୁରୀ ଆଞ୍ଚଳିକ ଉନ୍ନୟନ ପରିଷଦ ଗଠନ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଧୂଷୁରୀସ୍ଥିତ ହୃଦାନନ୍ଦ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଧୂଷୁରୀ ଅଞ୍ଚଳର ସାମଗ୍ରିକ ଉନ୍ନତି ପାଇଁ ସମସ୍ତ ବର୍ଗର ନାଗରିକଙ୍କୁ ଏକତ୍ରିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିକ୍ଷାବିତ୍, ଜନସେବକ, ଛାତ୍ରଛାତ୍ରୀ, ବ୍ୟବସାୟୀ, ଚାଷୀ ଏବଂ ସମାଜର ବିଭିନ୍ନ ବର୍ଗର ଦାୟିତ୍ୱବାନ ନାଗରିକ ଏହି ପରିଷଦର ସଦସ୍ୟ ହୋଇପାରିବେ ବୋଲି ଆଲୋଚନା ହୋଇଥିଲା। ଧୂଷୁରୀ, ନରସିଂହପୁର, ଭଣ୍ଡାରୀପଡ଼ା, ବମକୁରା, ହରିହଂସ, ବ୍ରାହ୍ମଣପାଳ, ଠାକୁରପାଟଣା, ପତ୍ରୀସାହି, ବାହାରବିଲ, ସାହାସପୁର, ଓଲଟପୁର, ପାୟାସାହି, ସୂର୍ଯ୍ୟପୁର ସମେତ ଆଖପାଖ ଅଞ୍ଚଳର ନାଗରିକମାନଙ୍କୁ ଏଥିରେ ସାମିଲ କରିବାକୁ ମତ ପ୍ରକାଶ ପାଇଥିଲା। ପରିଷଦର ସାଙ୍ଗଠନିକ ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇ ସ୍ଥାନୀୟ ନିର୍ବାଚିତ ବିଧାୟକଙ୍କୁ ସଭାପତି ଭାବେ ରଖିବା ପାଇଁ ପ୍ରସ୍ତାବ ଆସିଥିଲା। ଏଥିସହ ଉପସଭାପତି, ସାଧାରଣ ସମ୍ପାଦକ, ସହସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ କମିଟିରେ ଦକ୍ଷ, ଅଭିଜ୍ଞ ଓ ଦାୟିତ୍ୱବାନ ବ୍ୟକ୍ତିଙ୍କୁ ସାମିଲ କରିବା ଉପରେ ମତ ରଖାଯାଇଥିଲା। ସେହିପରି ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟୋଜ୍ୟେଷ୍ଠ ଓ ଅଭିଜ୍ଞ ବ୍ୟକ୍ତିଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା।

ବୈଠକରେ ଅଞ୍ଚଳର ବିକାଶ ପାଇଁ ନିମ୍ନଲିଖିତ ପ୍ରମୁଖ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା।
୧. ଧୂଷୁରୀ ଡାକ୍ତରଖାନାର ସମ୍ପ୍ରସାରଣ କରି ଅତିକମରେ ୨୦୦ ରୋଗୀଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବା।
୨. ଡାକ୍ତରଖାନାର ସମସ୍ତ ବିଭାଗରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ପାଇଁ ଦାବି ଉପସ୍ଥାପନ କରିବା।
୩. ଧୂଷୁରୀ ହାଇସ୍କୁଲରେ ଯୁକ୍ତ ଦୁଇ (+୨) ଶ୍ରେଣୀ ଖୋଲିବା।
୪. ଖଇଖିଆ ମଠ ପଡ଼ିଆରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରିବା।
୫. ଧାମନଗରରୁ ଧୂଷୁରୀ ଏବଂ ଭଦ୍ରକରୁ ଆରଡ଼ି ପର୍ଯ୍ୟନ୍ତ ଦୁଇ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରିବା।
୬. ଧୂଷୁରୀ ହାଟର ସୁବ୍ୟବସ୍ଥିତ ବିକାଶ କରିବା ସହ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ମାର୍କେଟ୍ ପ୍ଲେସ୍ ନିର୍ମାଣ କରିବା।
୭. ବାସନ୍ତୀ ପଡ଼ିଆର ଗୋଟିଏ ପାର୍ଶ୍ୱରେ ୧୦୦୦ ଆସନ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ପ୍ରେକ୍ଷାଳୟ ନିର୍ମାଣ କରିବା ସହ ଉପର ମହଲାରେ ପାଠାଗାର ଓ କ୍ୟାଣ୍ଟିନ୍ ବ୍ୟବସ୍ଥା କରିବା।
୮. ଧୂଷୁରୀରୁ ବମକୁରା, ହସନାବାଦ, ଠାକୁରପାଟଣା, ସାହାସପୁର, ଭଣ୍ଡାରୀପଡ଼ା ଆଦି ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ପ୍ରଶସ୍ତ କରି ପିଚୁ ରାସ୍ତାରେ ପରିଣତ କରିବା।
୯. ବାସନ୍ତୀ ପଡ଼ିଆର ନାଳ ଆରପଟେ ଦୁଇଟି ବିଦ୍ୟୁତ୍ ଚାଳିତ ଶବଦାହ ଚୁଲା ସ୍ଥାପନ କରିବା।
୧୦. ଭଦ୍ରକରୁ ଧୂଷୁରୀ ଦେଇ ଆରଡ଼ି ପର୍ଯ୍ୟନ୍ତ ରେଳ ସଂଯୋଗ ପାଇଁ ପଦକ୍ଷେପ ନେବା।
୧୧. ଧୂଷୁରୀରେ ତହସିଲ କାର୍ଯ୍ୟାଳୟର ଏକ ଶାଖା ଖୋଲିବା।
୧୨. ଅର୍ଥାଭାବରୁ ପାଠପଢ଼ାରେ ବାଧା ସୃଷ୍ଟି ହେଉଥିବା ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ପ୍ରଦାନ କରିବା।
୧୩. ଯୋଗ୍ୟ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୟସ ସୀମା ପୂରଣ ହେବା ପରେ ତୁରନ୍ତ ଭତ୍ତା ପ୍ରଦାନ ବ୍ୟବସ୍ଥା କରିବା।
୧୪. ବେକାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା।

ଏହି ସମସ୍ତ ପ୍ରସ୍ତାବକୁ ଆଗାମୀ ଦିନରେ ସଂଗଠିତ ଭାବେ ସରକାର ଓ ସମ୍ପୃକ୍ତ ବିଭାଗ ନିକଟରେ ଉପସ୍ଥାପନ କରିବା ସହ ଅଞ୍ଚଳର ଉନ୍ନତି ପାଇଁ ନିରନ୍ତର ଉଦ୍ୟମ କରିବାକୁ ମତ ପ୍ରକାଶ ପାଇଥିଲା।
ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସମାଜସେବୀ ତଥା ବରିଷ୍ଠ ନାଗରିକ ଧୀରେନ୍ଦ୍ର ନାଥ ମଲ୍ଲିକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତୃତ୍ୱ ଚନ୍ଦ୍ରଶେଖର ନାୟକ, ଦୁର୍ଯ୍ୟୋଧନ ତରାଇ, କ୍ଷୀରୋଦ ଧଳ, ନିରୋଦ ବେହେରା, ପ୍ରଫୁଲ୍ଲ ବେହେରା, ବୈଲୋଚନ ନାୟକ, ନୃସିଂହ ତରାଇ, ବିଭୂତି ଭୂଷଣ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ, ଆଦିତ୍ୟ ଗୋସ୍ୱାମୀଙ୍କ ସମେତ ଧୂଷୁରୀ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସମାଜସେବୀ, ଶିକ୍ଷାବିତ୍, ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।
ଧୂଷୁରୀ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଏକ ସ୍ଥାୟୀ ଓ ସଂଗଠିତ ମଞ୍ଚ ଗଠନ କରିବାର ଏହି ପ୍ରୟାସକୁ ଉପସ୍ଥିତ ବୁଦ୍ଧିଜୀବୀ ଓ ନାଗରିକମାନେ ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ଏହା କିପରି ଏକ ସଶକ୍ତ ଜନଆନ୍ଦୋଳନର ରୂପ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।





