ସିଦ୍ଧାର୍ଥ ଶଙ୍କର ମିଶ୍ର /ଧାମନଗର ପ୍ରତିନିଧି /ସମୀକ୍ଷା ନ୍ୟୁଜ :
ଧାମନଗର 16/11: ଚୋରାମଦ କାରବାର ଓ ମଦ୍ୟପଙ୍କ ଉତ୍ପାତରେ ଅତିଷ୍ଠ ହୋଇ ଏହାର ମୂଳୋତ୍ପାଟନ ପାଇଁ ଏକଜୁଟ ହୋଇଛନ୍ତି ପାଳସାହି ଓ ରଇପୁର ପଞ୍ଚାୟତବାସୀ। ଅଞ୍ଚଳକୁ ମଦମୁକ୍ତ କରିବା ଲକ୍ଷ୍ୟରେ ଗଠିତ ମଦମୁକ୍ତି ସମିତି ପକ୍ଷରୁ ଗାଁ ଗାଁ ବୁଲି ଜନସଚେତନତା ଅଭିଯାନ ଜାରି ରହିଛି। ଏହି ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଗତ ଶନିବାର ଏକ ସର୍ବଦଳୀୟ ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅଭିଯାନର ପରବର୍ତ୍ତୀ ପର୍ଯ୍ୟାୟରେ ଆଜି ସମିତି ପକ୍ଷରୁ ପ୍ରଥମେ ବେତାଳିଗାଁ ବଜାରରେ ଏକ ସଚେତନତା ରାଲି କରାଯାଇଥିଲା। ଏହାପରେ ମଦମୁକ୍ତି ସମିତିର ସଦସ୍ୟମାନେ ପାଳସାହି ଗ୍ରାମ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଥିବା ଗ୍ରାମସଭାରେ ଯୋଗଦେଇଥିଲେ। ପାଳସାହି ପଞ୍ଚାୟତକୁ ମଦମୁକ୍ତ ଘୋଷଣା କରିବା ସହ ଏ ସମ୍ପର୍କିତ ଦାବିକୁ ଗ୍ରାମସଭାର ଆଲୋଚନା ଓ ପ୍ରସ୍ତାବରେ ସ୍ଥାନିତ କରିବାକୁ ସେମାନେ ଦାବି ଜଣାଇଥିଲେ। ଏ ନେଇ ସମିତି ପକ୍ଷରୁ ଦିଆଯାଇଥିବା ଦାବିପତ୍ରକୁ ସରପଞ୍ଚ ଅଜୟ ମଳିକ ଗ୍ରହଣ କରିଥିଲେ। ଦାବିକୁ ଗ୍ରାମସଭାରେ ସ୍ଥାନିତ କରିବା ସହ ମଦମୁକ୍ତ ପଞ୍ଚାୟତ ଗଠନ ଦିଗରେ ପଞ୍ଚାୟତ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ। ଏଥିସହ ମଦମୁକ୍ତ ପଞ୍ଚାୟତ ଗଠନ ହିଁ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ସରପଞ୍ଚ ମତ ପ୍ରକାଶ କରିଥିଲେ। ଗ୍ରାମସଭାରେ ଏହି ସାମୂହିକ ଦାବି ଉପସ୍ଥାପନ ମଦମୁକ୍ତ ପଞ୍ଚାୟତ ଗଠନ ଅଭିଯାନକୁ ନୂଆ ଗତି ଦେଇଥିବା ବେଳେ ଏହାର ସଫଳ ରୂପାୟନ ପାଇଁ ପ୍ରଶାସନ ଓ ପୋଲିସର ସହଯୋଗ କାମନା କରୁଛନ୍ତି |






