ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ:
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଆଜି (ଗୁରୁବାର) ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ହିତାଧିକାରୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ କାବୁ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗୋଳାମୁଣ୍ଡା ତହସିଲ ଅଧୀନରେ ଥିବା ଏକ ଜମିର ଚିହ୍ନଟ ଏବଂ ସୀମା ନିର୍ଦ୍ଧାରଣ କରାଇଦେବା ପାଇଁ ତହସିଲଦାର ଶ୍ରୀ ନାୟକ ସମ୍ପୃକ୍ତ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ହିତାଧିକାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଜାଲ ବିଛାଯାଇଥିଲା। ପୂର୍ବ ଯୋଜନା ମୁତାବକ, ଆଜି ଅଭିଯୋଗକାରୀଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ ଧରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତହସିଲଦାରଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ ସମେତ ବିଭିନ୍ନ ଠିକଣାରେ ଏକକାଳୀନ ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଦିଗରେ ମଧ୍ୟ ତଦନ୍ତ କରାଯାଉଥିବା ବେଳେ ଏ ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି ବୋଲି ବିଶେଶ ସୂତ୍ରରୁ ଜଣା ପଡିଛି ।






