ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ: ତା: ୨୦/୧୧/୨୬
ସାହିତ୍ୟ, କଳା, ସାମ୍ବାଦିକତା ଓ ଭାଷା ଆନ୍ଦୋଳନରେ ଛାଡ଼ିଗଲେ ଅମ୍ଳାନ ସ୍ୱାକ୍ଷର; ଜନ୍ମମାଟି ବୁରୋମୁଣ୍ଡାରେ ଶେଷକୃତ୍ୟ ସମ୍ପନ୍ନ ।
ବରଗଡ଼: ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି କରି ପରଲୋକ ଗମନ କରିଛନ୍ତି ବହୁମୁଖୀ ପ୍ରତିଭାର ଅଧିକାରୀ, ବିଶିଷ୍ଟ ସାହିତ୍ୟିକ, ଗବେଷକ ଓ କୋଶଳୀ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଡ. ସାକେତ ଶ୍ରୀଭୂଷଣ ସାହୁ। ମାତ୍ର ୪୮ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ କେବଳ କୋଶଳୀ ଭାଷା ଓ ସାହିତ୍ୟ ଜଗତ ପାଇଁ ନୁହେଁ, ସମଗ୍ର ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। ୧୯୭୮ ମସିହା ଅଗଷ୍ଟ ୨୬ ତାରିଖରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମର ଏକ ଗୌନ୍ତିଆ ପରିବାରରେ ଜନ୍ମଗ୍ରହଣ କରିଥିଲେ ଡ. ସାହୁ। ଜବାହର ନବୋଦୟ ବିଦ୍ୟାଳୟରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ପଦ୍ମପୁରସ୍ଥିତ ଅଞ୍ଚଳ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ପିଲାଟି ଦିନରୁ ପଶ୍ଚିମ ଓଡ଼ିଶାର ମାଟି, ଭାଷା, ପରମ୍ପରା ଓ ସଂସ୍କୃତି ପ୍ରତି ତାଙ୍କର ଥିଲା ଅସୀମ ଅନୁରାଗ। ଏହି ଅନୁରାଗ ହିଁ ତାଙ୍କୁ ଜୀବନର ଶେଷ ପର୍ଯ୍ୟନ୍ତ କୋଶଳୀ ଭାଷାର ବିକାଶ, ପ୍ରଚାର, ପ୍ରସାର ଓ ସଂରକ୍ଷଣ ଦିଗରେ ନିରନ୍ତର ସାଧନା କରିବାକୁ ପ୍ରେରଣା ଯୋଗାଇଥିଲା।କୋଶଳୀ ଭାଷାର ସାହିତ୍ୟିକ ଇତିହାସକୁ ଲିପିବଦ୍ଧ କରିବା ଦିଗରେ ତାଙ୍କର ଅବଦାନ ଥିଲା ଅବିସ୍ମରଣୀୟ। ୨୦୧୭ ମସିହାରେ ପ୍ରକାଶିତ ତାଙ୍କର ଗବେଷଣାମୂଳକ ପୁସ୍ତକ ‘କୋଶଳୀ ସାହିତ୍ୟର ଇତିହାସ’ ଏହି ଭାଷାର ସମୃଦ୍ଧ ସାହିତ୍ୟିକ ପରମ୍ପରା ଓ କ୍ରମବିକାଶକୁ ଆଲୋକପାତ କରିଥିଲା। ସେହିପରି ‘ପଦମା କହାଣ୍ଡୋର ସପନ’ ଭଳି ସାହିତ୍ୟକୃତି ମାଧ୍ୟମରେ ସେ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଜୀବନ, ଲୋକସଂସ୍କୃତି, ମାଟି ଓ ମଣିଷର ଭାବନାକୁ ଜୀବନ୍ତ ଭାବେ ଉପସ୍ଥାପନ କରିଥିଲେ।

ଶିଶୁ ଓ ନୂତନ ପିଢ଼ିଙ୍କ ମଧ୍ୟରେ କୋଶଳୀ ଭାଷା ପ୍ରତି ଆଗ୍ରହ ଓ ଆତ୍ମୀୟତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଆସରେ ପିଲେ କଥାନୀ କହେମା’ ଓ ‘ଆସ କୋଶଲୀ ଶିଖମା’ ଭଳି ପୁସ୍ତକ ରଚନା କରିଥିଲେ। ସାହିତ୍ୟ ଓ ଭାଷା ଆନ୍ଦୋଳନକୁ ସଂଗଠିତ ରୂପ ଦେବାରେ ମଧ୍ୟ ତାଙ୍କର ଭୂମିକା ଥିଲା ଉଲ୍ଲେଖନୀୟ। ସେ ‘ବେଣୀ’ ପତ୍ରିକାର ପ୍ରତିଷ୍ଠାତା ହେବା ସହ CLEAR ସଂଗଠନର ପ୍ରତିଷ୍ଠାତା ସଦସ୍ୟ ଭାବେ ଆଞ୍ଚଳିକ ସାହିତ୍ୟ ଆନ୍ଦୋଳନକୁ ନୂତନ ଦିଗ ଦେଇଥିଲେ। ଅନୁବାଦ ଓ ସମ୍ପାଦନା କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷତା ଓ ଅବଦାନ ପ୍ରଶଂସନୀୟ ଥିଲା। ଭାଷା ସମସ୍ୟା ସମ୍ପର୍କିତ ଡ. ଯୋଗା ସିଂହଙ୍କ ଆନ୍ତର୍ଜାତୀୟ ମତାମତକୁ ଅନୁବାଦ କରି ସେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପଟିଆଲା ପକ୍ଷରୁ ସମ୍ମାନିତ ହୋଇଥିଲେ। ଏଥିସହ ଡ. ସାହେବ ସାହୁଙ୍କ ରଚିତ ‘Death of My Brother and Other Essays’ ପୁସ୍ତକର ସମ୍ପାଦନା କରିଥିଲେ। ଆଞ୍ଚଳିକ ସାହିତ୍ୟ ଓ ଭାଷା ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ GHPU ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡକ୍ଟର ଅଫ୍ ଲିଟରେଚର (D.Litt.) ଉପାଧି ପ୍ରଦାନ କରାଯାଇଥିଲା। ଡ. ସାହୁଙ୍କ ପ୍ରତିଭା କେବଳ ସାହିତ୍ୟ ସାଧନା ମଧ୍ୟରେ ସୀମିତ ନଥିଲା। ଚିତ୍ରକଳା, ନାଟକ ଓ ଚଳଚ୍ଚିତ୍ର ଜଗତରେ ମଧ୍ୟ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜଣେ ଦକ୍ଷ ଚିତ୍ରଶିଳ୍ପୀ ଭାବେ ତୂଳୀରେ ନିଜର ସୃଜନଶୀଳତା ପ୍ରକାଶ କରିବା ସହ ମଞ୍ଚ ନାଟକ କ୍ଷେତ୍ରରେ ମଧ୍ୟ ସକ୍ରିୟ ଥିଲେ। ତାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ‘ଆରୁ ଦୁର୍ଯ୍ୟୋଧନ’ ବିଶେଷ ପ୍ରଶଂସା ଲାଭ କରିଥିଲା। ସେହିପରି କୋଶଳୀ ଚଳଚ୍ଚିତ୍ର ‘ରସିଆ’ର କାହାଣୀ ରଚନା ଓ ନିର୍ଦ୍ଦେଶନା ଦେଇ ଆଞ୍ଚଳିକ ସିନେମା ଜଗତକୁ ମଧ୍ୟ ସମୃଦ୍ଧ କରିଥିଲେ। ଆଞ୍ଚଳିକ ଭାଷାରେ ସାମ୍ବାଦିକତାର ବିକାଶ ଓ ପ୍ରସାର ପାଇଁ ତାଙ୍କର ପ୍ରୟାସ ମଧ୍ୟ ଥିଲା ଅତୁଳନୀୟ। ବରଗଡ଼ରୁ ପ୍ରକାଶିତ ପାକ୍ଷିକ କୋଶଳୀ ଖବରକାଗଜ ‘ଲୋକାର ଖବର’ର ପ୍ରତିଷ୍ଠା, ପରିଚାଳନା ଓ ସମ୍ପାଦନା ଦାୟିତ୍ୱ ତୁଲାଇ ସେ କୋଶଳୀ ଭାଷାରେ ସାମ୍ବାଦିକତାକୁ ଏକ ନୂତନ ପରିଚୟ ଦେଇଥିଲେ।

ଡିଜିଟାଲ ଯୁଗର ଆହ୍ୱାନକୁ ଗ୍ରହଣ କରି ‘ଲୋକାର ଖବର’ ନାମରେ ୟୁଟ୍ୟୁବ୍ ମିଡିଆ ଚ୍ୟାନେଲ ଆରମ୍ଭ କରିଥିଲେ। ଏହା ମାଧ୍ୟମରେ କୋଶଳୀ ଭାଷାରେ ସମ୍ବାଦ ପରିବେଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାକୁ ସେ ଗୁରୁତ୍ୱର ସହ ଉପସ୍ଥାପନ କରୁଥିଲେ। କୋଶଳୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ କରିବା ଥିଲା ତାଙ୍କ ଜୀବନର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ। ଏଥିପାଇଁ ସେ ସର୍ବଦା ନିଜର ସ୍ୱର ଉତ୍ତୋଳନ କରିବା ସହ ଆଞ୍ଚଳିକ ଅସ୍ମିତା, ଭାଷାର ଅଧିକାର, ଶିକ୍ଷାର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ନିରନ୍ତର ଉଦ୍ୟମ କରୁଥିଲେ। ବରଗଡ଼ ନାମର ଶୁଦ୍ଧ ବନାନ ଓ ଜିଲ୍ଲାର ସଠିକ୍ ପରିଚୟ ପ୍ରତିଷ୍ଠା ଦିଗରେ ମଧ୍ୟ ସେ ସର୍ବଦା ନିଜର ମତାମତ ରଖିବା ସହ ଆଞ୍ଚଳିକ ସ୍ୱାଭିମାନର ସୁରକ୍ଷା ପାଇଁ ଯୁକ୍ତିସଙ୍ଗତ ଭାବେ ନିଜର ଅବସ୍ଥାନ ସ୍ପଷ୍ଟ କରୁଥିଲେ। ଏଭଳି ଜଣେ ବହୁମୁଖୀ ପ୍ରତିଭା, ଭାଷାପ୍ରେମୀ ଓ ସଂସ୍କୃତି ସାଧକଙ୍କ ବିୟୋଗରେ ପଶ୍ଚିମ ଓଡ଼ିଶା ଏକ ଅମୂଲ୍ୟ ସମ୍ପଦ ହରାଇଛି। ତାଙ୍କର ପରଲୋକ କେବଳ ଜଣେ ବ୍ୟକ୍ତିଙ୍କ ବିୟୋଗ ନୁହେଁ, ବରଂ କୋଶଳୀ ଭାଷା ଓ ସାଂସ୍କୃତିକ ଆନ୍ଦୋଳନର ଏକ ସକ୍ରିୟ ସ୍ୱର ନିରବ ହୋଇଯିବା ସହ ସମାନ। କଲମ, ତୂଳୀ, ମଞ୍ଚ, କ୍ୟାମେରା ଓ ଗଣମାଧ୍ୟମକୁ ନିଜ ସାଧନାର ମାଧ୍ୟମ କରି ସେ ଯେଉଁ ସୃଜନଶୀଳ ଅବଦାନ ଛାଡ଼ିଯାଇଛନ୍ତି, ତାହା ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। ଆଜି ତାଙ୍କର ଜନ୍ମମାଟି ବୁରୋମୁଣ୍ଡା ଗ୍ରାମରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ତାଙ୍କ ବଡ଼ଭାଇ ସରୋଜ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗର ଖବର ପାଇ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ବିଡିଓ ଲକ୍ଷ୍ମଣ ମାଝୀଙ୍କ ସମେତ ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି, ସାହିତ୍ୟିକ, ସାମ୍ବାଦିକ ଓ ଶୁଭେଚ୍ଛୁ ଉପସ୍ଥିତ ରହି ତାଙ୍କ ମରଶରୀରରେ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ।





