ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା ନ୍ୟୁଜ :
ବରଗଡ଼ ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଏବେ ସାଧାରଣ ଜନତାଙ୍କ ପାଇଁ ଅଭିଶାପ ପାଲଟିଛି । ବିକାଶ ଓ ରାସ୍ତା ପ୍ରଶସ୍ତିକରଣ ନାମରେ ସରକାରଙ୍କ ବୁଲଡୋଜର ନୀତି ଗରିବ ଓ ମଧ୍ୟବିତ୍ତ ପରିବାରର ପେଟକୁ ଲାତ ମାରୁଥିବା ଅଭିଯୋଗ ହୋଇଛି । ସହରର ଗାନ୍ଧୀ ଛକ, ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ଏବଂ ଗଙ୍ଗାଧର ନଗର ବସ୍ତି ଆଦି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ଉଚ୍ଛେଦ କରାଯାଇଛି । ଦୀର୍ଘ ବର୍ଷ ଧରି ଛୋଟମୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀ ଏବଂ ବସ୍ତି ବାସିନ୍ଦାଙ୍କୁ କୌଣସି ବିକଳ୍ପ ଥଇଥାନ ନଦେଇ ହଠାତ୍ ସେମାନଙ୍କ ଘର ଓ ଦୋକାନ ଭାଙ୍ଗି ଦିଆଯାଇଛି । ଉଚ୍ଛେଦ ପୂର୍ବରୁ ସ୍ଥାୟୀ ବାସସ୍ଥାନ କିମ୍ବା ବ୍ୟବସାୟ ପାଇଁ ଜାଗା ଚିହ୍ନଟ କରିବାକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ଏହାକୁ କର୍ଣ୍ଣପାତ କରିନାହିଁ । ଉଚ୍ଛେଦ ସମୟରେ ସ୍ଥାନୀୟ ବାସିନ୍ଦା ଏବଂ ପୋଲିସ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି । ସାଧାରଣ ଲୋକଙ୍କ ଦୁଃଖ ବୁଝିବା ପରିବର୍ତ୍ତେ ସରକାରୀ କଳ ପୋଲିସ ଫୋର୍ସ ମୁତୟନ କରି ଏବଂ ବିଏନଏସ୍ ଧାରା ୧୬୩ ଲାଗୁ କରି ଲୋକଙ୍କ ପ୍ରତିବାଦର ସ୍ୱରକୁ ଚାପି ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ସରକାର ଗରିବଙ୍କ କଲ୍ୟାଣ ଓ ବାସଗୃହ ଯୋଗାଇ ଦେବାର ବଡ଼ ବଡ଼ ଡିଣ୍ଡିମ ପିଟୁଥିବା ବେଳେ, ଅନ୍ୟପଟେ ଖୋଲା ଆକାଶ ତଳେ ଶହ ଶହ ପରିବାରକୁ ଠେଲି ଦେଉଛନ୍ତି । ବଡ଼ ବଡ଼ ଶିଳ୍ପପତି ଓ ପ୍ରଭାବଶାଳୀ ଲୋକଙ୍କ ଜବରଦଖଲ ପ୍ରତି ଆଖି ବୁଜି ଦେଉଥିବା ପ୍ରଶାସନ କେବଳ ଗରିବ ଖଟିଖିଆଙ୍କ ଉପରେ ନିଜର ଶକ୍ତି ପ୍ରଦର୍ଶନ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ସମାଲୋଚନା କରାଯାଉଛି । ଯଦି ତୁରନ୍ତ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ନ କରାଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି ।






