ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ଘଟଣାର ଦିନକ ପରେ ମିଳିଲା ସୂଚନା, ସାମ୍ବାଦିକଙ୍କ ବାରମ୍ବାର ଉଦ୍ୟମ ପରେ ଖୋଲିଲା ତଥ୍ୟ
ମାଦକଦ୍ରବ୍ୟର ଚୋରା କାରବାର ଓ ଅବୈଧ ଚାଲାଣ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଉଛି। ମାତ୍ର ବିଭାଗର ଏହି କାର୍ଯ୍ୟଧାରା ସହିତ ଖବର ପ୍ରଦାନରେ ଅବହେଳାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗଞ୍ଜେଇ ଜବତ ଓ ଜଣେ ଅଭିଯୁକ୍ତ ଗିରଫ ହେବା ଭଳି ଗୁରୁତ୍ୱପୂର୍ଣ୍ଣ ଘଟଣାର ସୂଚନା ଘଟଣା ଦିନ ଗଣମାଧ୍ୟମକୁ ଦିଆନଯିବା ବିଭାଗର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ନେଇ ଆଲୋଚନାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୧୮ ନଭେମ୍ବର ୨୦୨୬ରେ ରରୁଆଁ ଥାନା ଅନ୍ତର୍ଗତ ସାରୁବିଲି ଗ୍ରାମର ସାପ୍ତାହିକ ହାଟ ସମ୍ମୁଖ ରାସ୍ତାରେ ସୁକୃଳି ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ୨ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ ହଜାର ଟଙ୍କା ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ପ୍ରଶାନ୍ତ ବେହେରା (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇ ମାମଲା ନମ୍ବର ୧୨୮/୨୦୨୬-୨୭ ରୁଜୁ କରିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଛି। ରାଇରଙ୍ଗପୁର ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନେତୃତ୍ୱରେ ସୁକୃଳି ଅବକାରୀ ଥାନା ଅଧିକାରୀ ମୋନାଲିସା ସାମଲଙ୍କ ସମେତ ବହଳଦା, ଯଶିପୁର ଓ ବିଶୋଇ ଅବକାରୀ ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ତେବେ ଘଟଣାଟି ୧୮ ତାରିଖରେ ଘଟିଥିଲେ ମଧ୍ୟ ସେହିଦିନ ଅବକାରୀ ବିଭାଗ ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନଥିଲା। ସାମ୍ବାଦିକମାନେ ବାରମ୍ବାର ଯୋଗାଯୋଗ କରିବା ସହ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରିବା ପରେ ଦିନକ ପରେ ବିଭାଗ ପକ୍ଷରୁ ଏହି ଘଟଣାର ବିବରଣୀ ଦିଆଯାଇଥିଲା। ଏଠାରେ ପ୍ରଶ୍ନ ଉଠୁଛି, ଅବକାରୀ ବିଭାଗର ଚଢ଼ାଉ, ଜବତ ଓ ଗିରଫ ଭଳି ଘଟଣାର ସୂଚନା ଗଣମାଧ୍ୟମକୁ ସମୟୋଚିତ ଭାବେ ଦେବାରେ ଅସୁବିଧା କେଉଁଠି? ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ବିଭାଗର କାର୍ଯ୍ୟାନୁଷ୍ଠାନ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଯେତିକି ଆବଶ୍ୟକ, ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ମଧ୍ୟ ସେତିକି ଜରୁରୀ। ତେଣୁ ଏଭଳି ଘଟଣାରେ ସୂଚନା ପ୍ରଦାନରେ ବିଳମ୍ବ ହେବାର କାରଣ ବିଭାଗ ସ୍ପଷ୍ଟ କରିବା ସହ ଆଗାମୀ ଦିନରେ ଗଣମାଧ୍ୟମକୁ ସମୟୋଚିତ ତଥ୍ୟ ଯୋଗାଇବା ପାଇଁ ଯତ୍ନବାନ ହେବା ଆବଶ୍ୟକ ବୋଲି ସଚେତନ ମହଲରେ ମତ ପ୍ରକାଶ ପାଇଛି।





