ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୨୦/୧୧/୨୬ – ବାରିପଦାସ୍ଥିତ ବେଲଗଡ଼ିଆ ପ୍ୟାଲେସ ଠାରେ ମୟୂରଭଞ୍ଜ ଜିଲ୍ଲାର ସମୃଦ୍ଧ ଐତିହ୍ୟ, ପାରମ୍ପରିକ କଳା, ସଂସ୍କୃତି ଓ ଲୋକ ଜୀବନକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମୟୂରଭଞ୍ଜ ଲିଭିଂ ହେରିଟେଜ ଫେଷ୍ଟିଭାଲ-୨୦୨୬’ ଆୟୋଜିତ ହେବ । ବାଂଲାନାଟକ ଡଟ କମ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଆକ୍ସିସ ବ୍ୟାଙ୍କ ଫାଉଣ୍ଡେସନ ସହଯୋଗ କରୁଥିବା ବେଳେ ବେଲଗଡ଼ିଆ ପ୍ୟାଲେସ ଭେନ୍ୟୁ ପାର୍ଟନର ରହିଛି । ଐତିହ୍ୟ ମାଧ୍ୟମରେ ସ୍ଥାୟୀ ଜୀବିକା ନିର୍ମାଣ ବିଷୟବସ୍ତୁକୁ ନେଇ ଏହି ଉତ୍ସବ ଆୟୋଜନ କରାଯାଉଥିବା ବେଳେ ମୟୂରଭଞ୍ଜର ପାରମ୍ପରିକ କଳାକାର, ଶିଳ୍ପୀ, ବୁଣାକାର, କାରିଗର ଓ ସ୍ଥାନୀୟ ସମୁଦାୟ ମାନଙ୍କ କଳାକୃତି ଓ ଜୀବିକାର ସୁଯୋଗକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଉତ୍ସବରେ ମୟୂରଭଞ୍ଜର ସମୃଦ୍ଧ ଆଦିବାସୀ କଳା, ସଂସ୍କୃତି ସହିତ ସ୍ଥାନୀୟ ହସ୍ତଶିଳ୍ପ, ବୟନଶିଳ୍ପ, ପାରମ୍ପରିକ ଖାଦ୍ୟ ଓ ଗ୍ରାମୀଣ ଉତ୍ପାଦର ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଦେଶର ବିଭିନ୍ନ ଅଞ୍ଚଳର ଲୋକକଳା ଓ ପାରମ୍ପରିକ ସାଂସ୍କୃତିକ ଦଳଙ୍କ ସହ ସ୍ପେନର ‘ଲା ଫୁରିଆ ଦେ ଲୋସ ପାଜାରୋସ’ ସାଂସ୍କୃତିକ ଦଳ ଏବଂ ୟୁକ୍ରେନର ‘ଓଭାରିଆନା ଛଉ ନୃତ୍ୟ ପ୍ରତିନିଧି ଦଳ’ ଭଳି ବିଭିନ୍ନ ବିଦେଶୀ ସାଂସ୍କୃତିକ ଦଳ ଅଂଶଗ୍ରହଣ କରି ନିଜର ପାରମ୍ପରିକ କଳା ପରିବେଷଣ କରିବେ ବୋଲି ଆଜି ବେଲଗଡିଆ ପ୍ୟାଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ବାଙ୍ଗଲା ନାଟକ ଡ଼ଟକମ ଓ କଣ୍ଟାକ୍ଟବେଶର ପ୍ରକଳ୍ପ ନିର୍ଦେଶକ ସିଦ୍ଧାଞ୍ଚନ ରାୟ ଚୌଧୁରୀ, ମୁଖ୍ୟ ପ୍ରବନ୍ଧକ ପ୍ରବୀର ବାନର୍ଜୀ, ଅଭିପ୍ସା ଘୋଷ, ଛଉ ଗୁରୁ ଲୋକନାଥ ଦାସ ଏବଂ ଛଉ ଗବେଷକ ସୁଧୀର କୁମାର ନାୟକ ପ୍ରମୁଖ ଯୋଗ ଦେଇ ପ୍ରକାଶ କରିଛନ୍ତି । ୨୭ ତାରିଖ ଅପରାହ୍ନ ୩ଟାରେ ଉଦଘାଟନ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମ ୨୮ ଓ ୨୯ ତାରିଖରେ ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲୁରହିବ ବୋଲି ଜଣାପଡିଛି ।






