ରତିକାନ୍ତ ନାୟକ/ସମୀକ୍ଷା ନ୍ୟୁଜ /ଭଦ୍ରକ : ତା-20.11.2026
ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ନିର୍ମାଣ ମାନକୁ ନେଇ ଉଠିଲା ପ୍ରଶ୍ନ, ଉଚ୍ଚସ୍ତରୀୟ ତଦନ୍ତ ଓ ସ୍ଥାୟୀ ମରାମତି ଦାବି
ଭଦ୍ରକ : ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀଠାରୁ ହସନାବାଦ ଦେଇ ଯାଜପୁରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାରେ ନବନିର୍ମିତ କଲଭର୍ଟର ଆପ୍ରୋଚ୍ ରୋଡ୍ ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି କଲଭର୍ଟର ଆପ୍ରୋଚ୍ ରୋଡ୍ ମାତ୍ର ୨ରୁ ୪ ମାସ ମଧ୍ୟରେ ଭୁଶୁଡ଼ି ପଡ଼ିବା ଘଟଣା ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ରାସ୍ତାଟି ଧୂଷୁରୀ ଓ ହସନାବାଦ ସମେତ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ଏକ ପ୍ରମୁଖ ଯାତାୟାତ ମାର୍ଗ। ଏହି ରାସ୍ତା ଉପରେ ପ୍ରତିଦିନ ଶତାଧିକ ଲୋକ, ଛାତ୍ରଛାତ୍ରୀ, ରୋଗୀ, ବ୍ୟବସାୟୀ ଓ ସାଧାରଣ ଯାତ୍ରୀ ନିର୍ଭର କରିଥାନ୍ତି। ମାତ୍ର ନିର୍ମାଣର କିଛି ମାସ ନପୂରୁଣୁ କଲଭର୍ଟର ଆପ୍ରୋଚ୍ ରୋଡ୍ ଭୁଶୁଡ଼ି ଯିବା ସହ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଫଳରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ବିଶେଷକରି ରାତି ସମୟରେ ଏହି ରାସ୍ତା ଦେଇ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ୁଛି। ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ସହ ଖାଲଖମାରେ ଗାଡ଼ି ଫସି ଯାଉଥିବା ଅଭିଯୋଗ ହେଉଛି। ବୟସ୍କ ବ୍ୟକ୍ତି, ମହିଳା ଓ ଛାତ୍ରଛାତ୍ରୀମାନେ ଏହି ରାସ୍ତାରେ ଯାତାୟାତ କରିବାକୁ ଭୟଭୀତ ହେଉଛନ୍ତି। ଏହି ସମସ୍ୟାକୁ ନେଇ ମାନ୍ୟବର ଧାମନଗର ବିଧାୟକ ତଥା ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ନିକଟରେ ଅଭିଯୋଗ ରଖାଯାଇଛି। ନବନିର୍ମିତ କଲଭର୍ଟ ଓ ଆପ୍ରୋଚ୍ ରୋଡ୍ର ଗୁଣାତ୍ମକ ମାନକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ନିର୍ମାଣ କାର୍ଯ୍ୟରେ ତ୍ରୁଟି ଥିଲେ ଦାୟୀ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ଦାବି ହୋଇଛି। ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାର ସ୍ଥାୟୀ ମରାମତି କରାଯିବା ସହ ଭବିଷ୍ୟତରେ ଏଭଳି ସମସ୍ୟା ଯେପରି ନଉପୁଜେ ସେଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି। ସାଧାରଣ ଲୋକଙ୍କ ନିରାପଦ ଯାତାୟାତ ସୁନିଶ୍ଚିତ କରିବା ଏବେ ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।






