ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ତା: ୨୦/୧୧/୨୬
ସଦର ମହକୁମାସ୍ଥିତ ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ତରଫରୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ସହ”କାଳଚକ୍ର”ପ୍ରସଙ୍ଗ ଉପରେଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ବାରିକ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବାବେଳେ ବିଭାଗୀୟ ମୁଖ୍ୟ ଡଃ ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇବାସହ ମହାବିଦ୍ୟାଳୟର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ନୂତନ କୀର୍ତ୍ତିମାନ ସ୍ଥାପନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଆଲୋଚନାଚର୍କ ରେ ମହାବିଦ୍ୟାଳୟର ଅଧ୍ୟାପକ ଗୁପ୍ତେଶ୍ଵର ରାଓ, ରବୀନ୍ଦ୍ର ମାଢୀ, ପ୍ରସନ୍ ଜିତ୍ ମିସ୍ତ୍ରୀ, ପ୍ରମିୟ କୁମାର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଅତିଥିମାନେ ଆଲୋଚନାରେ ଅଂଶଗ୍ରହଣ କରି ଭାରତୀୟ ଦର୍ଶନ, ବୌଦ୍ଧ ଧର୍ମ ଏବଂ ଅନେକ ପ୍ରାଚୀନ ପରମ୍ପରାରେ ସମୟକୁ ଏକ ସରଳ ରେଖା ପରି ନ ଦେଖି ଏକ ଚକ୍ର ବା ବୃତ୍ତାକାର ଗତି ପରି କଳ୍ପନା କରାଯାଇଥିବା ବିଷୟରେ ପ୍ରକାଶ କରିଥିଲେ।ଯେପରି ଚକ୍ର ଘୁରି ଘୁରି ପୁଣି ସେହି ସ୍ଥାନ କୁ ଆସେ, ସେହିପରି ସୃଷ୍ଟି, ସ୍ଥିତି ଏବଂ ବିଲୟ ମଧ୍ୟ ଏକ ଚକ୍ରରେ ଚାଲେ। ସମୟ ର ଚକ୍ର ମନୁଷ୍ୟକୁ ଶିଖାଏ ଯେ କୌଣସି ଅବସ୍ଥା ସବୁଦିନ ପାଇଁ ସ୍ଥିର ନୁହେଁ। ଅତୀତ ଫେରିଆସେନାହିଁ। କିନ୍ତୁ ଅତୀତର ଅଭିଜ୍ଞତା, ବର୍ତ୍ତମାନ ଓ ଭବିଷ୍ୟତକୁ ଗଢେ। କଠିନ ସମୟ ଆସିଲେ ଧୈର୍ଯ୍ୟ ରଖିବା ଏବଂ ଅନୁକୂଳ ସମୟରେ ସଠିକ୍ କାର୍ଯ୍ୟ କରିବାପାଇଁ ମଞ୍ଚାସୀନ ଅତିଥିଗଣ ମତବ୍ୟକ୍ତ କରିଥିଲେ। ପ୍ରଶ୍ଳୋତ୍ତର କାର୍ଯ୍ୟକ୍ରମରେ ଯୁକ୍ତ ତିନିର ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ଗଣ ଅଂଶଗ୍ରହଣ କରିଥିଲେ। ନବାଗତ ଛାତ୍ରଛାତ୍ରୀମାନଙ୍କୁ ଫୁଲ ଓ କଲମ ଉପହାର ଦେଇ ସ୍ଵାଗତ କରାଯାଇଥିଲା।ଆଲୋଚନା ଚକ୍ର ପରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନକରାଯାଇଥିଲା। ପରିଶେଷରେ କମ୍ପ୍ୟୁଟର ପ୍ରଶିକ୍ଷକ ସ୍ନିଗଧା ସରଦାର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବାଣିଜ୍ୟ ବିଭାଗର ଶତାଧିକ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।






