ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:
ଝାରସୁଗୁଡ଼ା, ୨୧/୯ : ସହରର ବିକାଶ ପାଇଁ ଅନୁଦାନ ଆସିଲା, କିନ୍ତୁ ତାହା ବ୍ୟବହାର ହେଲାନି l ନିଜସ୍ୱ ରାଜସ୍ୱ ବୃଦ୍ଧିର ସୁଯୋଗ ଥିଲା, କିନ୍ତୁ ହୋଲ୍ଡିଂ ପୁନଃମୂଲ୍ୟାୟନ ହେଲାନି l ପୌରସଂସ୍ଥା ଅଧୀନରେ ଶହ ଶହ ଦୋକାନ ଓ ପ୍ଲଟ୍ ଥିଲେ ସୁଦ୍ଧା ଭଡ଼ା ଦାବି ଓ ଆଦାୟର ସଠିକ୍ ହିସାବ ରଖାଯାଇନଥିବା ଅଡିଟ୍ ରିପୋର୍ଟରୁ ଜଣାପଡ଼ିଛି l ଏପରି ଚିତ୍ର ଝାରସୁଗୁଡ଼ା ପୌର ପରିଷଦର ଆର୍ଥିକ ପରିଚାଳନା ଓ କାର୍ଯ୍ୟଶୈଳୀ ଉପରେ ଗୁରୁତର ପ୍ରଶ୍ନଚିହ୍ନ ଲଗାଇଛି l ୨୦୧୫-୧୬ରୁ ୨୦୧୮-୧୯ ପର୍ଯ୍ୟନ୍ତ ପୌରସଂସ୍ଥାର ଆର୍ଥିକ କାରବାରର ସମୀକ୍ଷା କରିବା ବେଳେ ଅଡିଟ୍ରେ ଏକାଧିକ ଅନିୟମିତତା ଓ ଅବହେଳା ଚିହ୍ନଟ ହୋଇଛି l ବିଶେଷକରି ରାଜସ୍ୱ ସଂଗ୍ରହ, ହୋଲ୍ଡିଂ ମୂଲ୍ୟାୟନ, ଦୋକାନ ଭଡ଼ା ଆଦାୟ ଏବଂ ସରକାରୀ ଅନୁଦାନର ବିନିଯୋଗକୁ ନେଇ ଅଡିଟ୍ ପ୍ରଶ୍ନ ଉଠାଇଛି l ଅବ୍ୟବହୃତ ପଡ଼ିରହିଲା ୧.୧୧ କୋଟିରୁ ଅଧିକ ଅନୁଦାନ ଅଡିଟ୍ ରିପୋର୍ଟର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ପୌରସଂସ୍ଥାକୁ ମିଳିଥିବା ଅନୁଦାନର ବିନିଯୋଗ l ରିପୋର୍ଟ ଅନୁଯାୟୀ, ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ମିଳିଥିବା ୭୫.୯୪ ଲକ୍ଷ ଟଙ୍କା ପ୍ରାୟ ଚାରି ବର୍ଷ ଧରି ବ୍ୟବହାର ନହୋଇ ୨୦୨୦ ଜାନୁଆରୀ ପର୍ଯ୍ୟନ୍ତ ପିଏଲ୍ ଖାତାରେ ପଡ଼ି ରହିଥିଲା l ସେହିପରି ପୁଞ୍ଜି ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ୨୦୧୫-୧୬ରୁ ୨୦୧୮-୧୯ ମଧ୍ୟରେ ୩୫.୯୯ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା l କିନ୍ତୁ ଆବଶ୍ୟକ ପୁଞ୍ଜି ସମ୍ପତ୍ତି ସୃଷ୍ଟି ହୋଇନଥିବାରୁ ଏହି ଅନୁଦାନ ବିନିଯୋଗର ସୁଯୋଗ ମଧ୍ୟ ସୃଷ୍ଟି ହୋଇନଥିବା ଅଡିଟ୍ରେ ଦର୍ଶାଯାଇଛି l

ଦୁଇ ଖାତକୁ ମିଶାଇ ମୋଟ ୧ କୋଟି ୧୧ ଲକ୍ଷ ୯୩ ହଜାର ଟଙ୍କା ଅବ୍ୟବହୃତ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି l ସହରର ଭିତ୍ତିଭୂମି ବିକାଶ ଓ ସାର୍ବଜନୀନ ସମ୍ପତ୍ତି ସୃଷ୍ଟିର ଆବଶ୍ୟକତା ଥିବା ସମୟରେ ଏତେ ବଡ଼ ଅନୁଦାନ ବର୍ଷ ବର୍ଷ ଧରି ବିନିଯୋଗ ନହେବା ପୌର ପରିଚାଳନାର ଯୋଜନା ଓ ଆର୍ଥିକ ନିଷ୍ପାଦନକୁ ନେଇ ପ୍ରଶ୍ନ ଉଠାଇଛି l ୧୮ ବର୍ଷ ଧରି ଅଟକିଛି ହୋଲ୍ଡିଂ ପୁନଃମୂଲ୍ୟାୟନ ଅନୁଦାନ ବ୍ୟବହାରର ଏହି ଚିତ୍ର ସହିତ ପୌରସଂସ୍ଥାର ନିଜସ୍ୱ ରାଜସ୍ୱ ସଂଗ୍ରହ ବ୍ୟବସ୍ଥାକୁ ନେଇ ମଧ୍ୟ ଅଡିଟ୍ ଗୁରୁତର ପ୍ରଶ୍ନ ଉଠାଇଛି l ସବୁଠାରୁ ଗୁରୁତର ତଥ୍ୟ ହେଉଛି, ୨୦୦୨ ମସିହା ପରଠାରୁ ପୁରୁଣା ହୋଲ୍ଡିଂଗୁଡ଼ିକର ପୁନଃମୂଲ୍ୟାୟନ କରାଯାଇନଥିବା ଅଡିଟ୍ରେ ଦର୍ଶାଯାଇଛି l ଅର୍ଥାତ୍ ଦୀର୍ଘ ୧୮ ବର୍ଷ ଧରି ପୌରସଂସ୍ଥାର ହୋଲ୍ଡିଂ ରାଜସ୍ୱ ବ୍ୟବସ୍ଥାର ଏକ ମୌଳିକ ପ୍ରକ୍ରିୟା ଅଟକି ରହିଥିଲା l ଏହା ସହିତ ନୂଆ ହୋଲ୍ଡିଂ ଚିହ୍ନଟ ଓ ମୂଲ୍ୟାୟନରେ ମଧ୍ୟ ଆବଶ୍ୟକ ତତ୍ପରତା ନଥିବା ଅଡିଟ୍ ରିପୋର୍ଟରେ ଉଲ୍ଲେଖ ହୋଇଛି l ଫଳରେ ପୌରସଂସ୍ଥା ନିଜସ୍ୱ ରାଜସ୍ୱ ବଢ଼ାଇବାର ଏକ ବଡ଼ ସୁଯୋଗରୁ ବଞ୍ଚିତ ହୋଇଥିବା ଅଡିଟ୍ ମତ ଦେଇଛି l ହୋଲ୍ଡିଂ ଚିହ୍ନଟ ବ୍ୟବସ୍ଥାର ଚିତ୍ରକୁ ଆହୁରି ଚର୍ଚ୍ଚିତ କରିଛି ଅଡିଟ୍କୁ ଦିଆଯାଇଥିବା ତଥ୍ୟ l ପୌରସଂସ୍ଥା ପକ୍ଷରୁ ମାତ୍ର ୭୧୧ଟି ହୋଲ୍ଡିଂ ଥିବା ଦର୍ଶାଯାଇଥିଲା l

ଅନ୍ୟପକ୍ଷରେ ୨୦୧୧ ଜନଗଣନା ଅନୁସାରେ ବସ୍ତି ଅଞ୍ଚଳକୁ ବାଦ ଦେଲେ ମଧ୍ୟ ପୌରସଂସ୍ଥା ଅଞ୍ଚଳରେ ୨୧ ହଜାର ୯୧୬ଟି ପରିବାର ଥିବା ଉଲ୍ଲେଖ ରହିଛି l ୭୧୧ ହୋଲ୍ଡିଂ ବନାମ ୨୧,୯୧୬ ପରିବାର, ଏହି ବିଶାଳ ପାର୍ଥକ୍ୟ ହୋଲ୍ଡିଂ ଚିହ୍ନଟ, ମୂଲ୍ୟାୟନ ଓ ରାଜସ୍ୱ ସଂଗ୍ରହ ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠାଇଛି l ଯଦି ପୌରସଂସ୍ଥାର ତଥ୍ୟ ଏତେ କମ୍ ଏବଂ ଜନଗଣନାରେ ପରିବାର ସଂଖ୍ୟା ଏତେ ଅଧିକ, ତେବେ ହୋଲ୍ଡିଂ ଚିହ୍ନଟ ପ୍ରକ୍ରିୟା କେତେ ଦୂର ସମ୍ପୂର୍ଣ୍ଣ ହୋଇଥିଲାଏହା ନେଇ ଅଡିଟ୍ର ତଥ୍ୟ ଆଧାରରେ ପ୍ରଶ୍ନ ଉଠିବା ସ୍ୱାଭାବିକ l ରିପୋର୍ଟରେ ଆଉ ଏକ ତଥ୍ୟ ରହିଛି l ୨୦୧୯-୨୦ରେ ୨୧୭ଟି ନୂଆ ହୋଲ୍ଡିଂର ମୂଲ୍ୟାୟନ କରାଯାଇଥିଲା ଏବଂ ଏଥିପାଇଁ ୬.୨୮ ଲକ୍ଷ ଟଙ୍କାର ଦାବି ଧାର୍ଯ୍ୟ ହୋଇଥିଲା l କିନ୍ତୁ ପୁରୁଣା ହୋଲ୍ଡିଂର ପୁନଃମୂଲ୍ୟାୟନ ସହ ନୂଆ ହୋଲ୍ଡିଂର ସମ୍ପୂର୍ଣ୍ଣ ଚିହ୍ନଟ ପାଇଁ ଯେଉଁ ପ୍ରକ୍ରିୟା ଆବଶ୍ୟକ ଥିଲା, ସେଥିରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଡିଟ୍ ଦର୍ଶାଇଛି l ପୌରସଂସ୍ଥା ଅଧୀନରେ ବିଭିନ୍ନ ସ୍ଥାନରେ ୩୩୮ଟି ଷ୍ଟଲ୍ ଓ ପ୍ଲଟ୍ ଥିବା ସତ୍ତ୍ୱେ ସେଗୁଡ଼ିକରୁ ଭଡ଼ା ଆଦାୟ ଓ ବକେୟା ହିସାବ ରଖିବା ବ୍ୟବସ୍ଥା ସୁଦୃଢ଼ ନଥିବା ଅଡିଟ୍ରେ ଜଣାପଡ଼ିଛି l ଦୋକାନ ଭଡ଼ା ସମ୍ପର୍କିତ ଡିସିବି ରେଜିଷ୍ଟର ମଧ୍ୟ ଠିକ୍ ଭାବେ ପରିଚାଳିତ ହେଉନଥିଲା l ବିଭିନ୍ନ ବର୍ଷର ଭଡ଼ା ଦାବି, ଆଦାୟ ଓ ବକେୟା ରାଶିକୁ ନିୟମିତ ଭାବେ ତଦାରଖ କରାଯାଇନଥିବାରୁ ପ୍ରକୃତ ବକେୟା କେତେ, ତାହାର ସଠିକ୍ ଚିତ୍ର ମଧ୍ୟ ସ୍ପଷ୍ଟ ହୋଇନଥିଲା l

ଏପରି ସ୍ଥିତିରେ ବକେୟା ଭଡ଼ା ଆଦାୟ ପାଇଁ ପୌର ପ୍ରଶାସନର ନିରୀକ୍ଷଣ ଓ ଅନୁସରଣ ବ୍ୟବସ୍ଥା କେତେ ପ୍ରଭାବଶାଳୀ ଥିଲା, ତାହା ନେଇ ପ୍ରଶ୍ନ ଉଠିଛି l ଅଡିଟ୍ ରିପୋର୍ଟର ସମସ୍ତ ତଥ୍ୟକୁ ଏକାଠି କଲେ ଗୋଟିଏ ପ୍ରଶ୍ନ ଆଗକୁ ଆସୁଛି l ପୌରସଂସ୍ଥାର ନିଜସ୍ୱ ଆୟ ବଢ଼ାଇବା ଓ ମିଳୁଥିବା ଅନୁଦାନକୁ ସମୟୋଚିତ ଭାବେ ବିନିଯୋଗ କରିବା ପାଇଁ ପୌର ପରିଷଦର ଯୋଜନା ଓ ନିରୀକ୍ଷଣ ବ୍ୟବସ୍ଥା କେତେ ପ୍ରଭାବୀ ? ୧୮ ବର୍ଷ ଧରି ହୋଲ୍ଡିଂ ପୁନଃମୂଲ୍ୟାୟନ ନହେବା, ନୂଆ ହୋଲ୍ଡିଂ ଚିହ୍ନଟରେ ଅଭାବ, ୩୩୮ଟି ଷ୍ଟଲ୍ ଓ ପ୍ଲଟ୍ର ଭଡ଼ା ହିସାବରେ ଅବ୍ୟବସ୍ଥା ଏବଂ ୧.୧୧ କୋଟିରୁ ଅଧିକ ଅନୁଦାନ ଅବ୍ୟବହୃତ ରହିବା, ଏସବୁ ଘଟଣା ପୌର ପରିଚାଳନାର ଆର୍ଥିକ ଶୃଙ୍ଖଳା ଓ କାର୍ଯ୍ୟନିଷ୍ପାଦନ ପ୍ରଣାଳୀକୁ ନେଇ ଆଲୋଚନାର ଅବକାଶ ସୃଷ୍ଟି କରିଛି l ଅଡିଟ୍ରେ ଉଠିଥିବା ଆପତ୍ତିଗୁଡ଼ିକ ଉପରେ ପୌର ପରିଷଦ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ବକେୟା ରାଜସ୍ୱ ଆଦାୟ ପାଇଁ କି ପ୍ରକ୍ରିୟା ଗ୍ରହଣ କରାଯାଇଛି, ହୋଲ୍ଡିଂ ପୁନଃମୂଲ୍ୟାୟନ କେତେ ଦୂର ଆଗେଇଛି ଏବଂ ଅବ୍ୟବହୃତ ଅନୁଦାନର ବିନିଯୋଗ ନେଇ କଣ ଯୋଜନା ରହିଛି, ଏସବୁ ପ୍ରଶ୍ନର ସ୍ପଷ୍ଟ ଉତ୍ତର ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି l ଅଡିଟ୍ ରିପୋର୍ଟ ସାର୍ବଜନୀନ ହେବା ପରେ ପୌରସଂସ୍ଥାର ରାଜସ୍ୱ ସଂଗ୍ରହ ଓ ଅନୁଦାନ ବିନିଯୋଗ ବ୍ୟବସ୍ଥାକୁ ନେଇ ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ଜୋର ଧରିଛି l ଏବେ ଅପେକ୍ଷା ରହିଛି ଅଡିଟ୍ ଆପତ୍ତି ଉପରେ ପୌର ପରିଷଦ କିପରି ଜବାବ ଦେଉଛି ଏବଂ ଆର୍ଥିକ ପରିଚାଳନାରେ ସୁଧାର ପାଇଁ କେଉଁ ପଦକ୍ଷେପ ନେଉଛି l





