ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୨୯/୦୯/୨୬ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା କବାଡି ଚୟନ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଚାରିଟି ଜୋନରୁ ମୋଟ ୨୯୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ କୁମ୍ଭାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମାଲିଶିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ବାଗ, ସିରୋଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ମୋତିରାମ ମାଝୀ ଏବଂ ବାଙ୍କେଲ ହାଇସ୍କୁଲର ସହକାରୀ ଶିକ୍ଷକ ଯୋଗେନ୍ଦ୍ର ଅଡ଼ଜୁଆଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଂଶଗ୍ରହଣ ହିଁ ବିଜୟର ମୂଳ ଆଧାର ବୋଲି ପ୍ରକାଶ କରିବା ସହ ଶୃଙ୍ଖଳା ଓ ଦଳଗତ ଭାବନାର ବିକାଶ ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ବିଦ୍ୟାର୍ଥୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ନିହାତି ଆବଶ୍ୟକ ବୋଲି ସଭାପତି ମତବ୍ୟକ୍ତ କରିଥିଲେ।

ଚୟନ ପ୍ରକ୍ରିୟାକୁ କ୍ରୀଡ଼ା ଶିକ୍ଷକ ସନ୍ତୋଷ ମେହେର କନଭେନର ଭାବେ ପରିଚାଳନା କରିଥିବା ବେଳେ ମୁରିବାହାଲ ବିଏସଏ ସମ୍ପାଦକ କୁବେରଲାଲ ବେହେରା, ବ୍ଲକର ସମସ୍ତ ପିଇଟି, ପିଇଆଇ ଏବଂ ବିଦ୍ୟାଳୟର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟରେ ଏସଏ-୧ ପରୀକ୍ଷା ଚାଲିଥିବା ସତ୍ତ୍ୱେ ଶିକ୍ଷା ଓ କ୍ରୀଡ଼ା ଉଭୟ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପାଦିତ ହୋଇଥିଲା। କୁର୍ଲୁବାହାଲ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ବିନୋଦ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ କୁବେରଲାଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଚୟନରେ ମନୋନୀତ କ୍ରୀଡ଼ାବିତମାନେ ଆସନ୍ତା ଅକ୍ଟୋବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ କଣ୍ଟାବାଞ୍ଜିରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ବରିଷ୍ଠ କ୍ରୀଡ଼ା ଶିକ୍ଷକ ବିନୋଦ ମହାପାତ୍ର ସୂଚନା ଦେଇଛନ୍ତି।





