ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :
ବରଗଡ଼, ୧୭ ଅକ୍ଟୋବର ୨୦୨୬ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି, ଯାହାକୁ ନେଇ ବରଗଡ଼ ଜିଲ୍ଲାର ପ୍ରମୁଖ ମହାବିଦ୍ୟାଳୟଗୁଡ଼ିକରେ ପ୍ରବଳ ଉତ୍ସାହ ଓ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। ଗତ ୧୫ ଅକ୍ଟୋବର ୨୦୨୬ ରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ କେଉଁଠି ଶାନ୍ତିପୂର୍ଣ୍ଣ ଭାବେ ବିଜୟ ଉତ୍ସବ ପାଳନ କରାଯାଇଛି, ତ କେଉଁଠି ଭୋଟ ଗଣତିକୁ ନେଇ ବିବାଦ ଏବଂ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଜିଲ୍ଲାର ସବୁଠାରୁ ପ୍ରତିଷ୍ଠିତ ଏବଂ ନୋଡାଲ୍ ଶିକ୍ଷାନୁଷ୍ଠାନ ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ କେବଳ ସଭାପତି ପଦବୀ ପାଇଁ ମତଦାନ ହୋଇଥିଲା। ଏଠାରେ ବିଜୁ ଛାତ୍ର ଜନତା ଦଳ (BCJD), ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଏକ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଥିଲା। ଫଳାଫଳ ପ୍ରକାଶ ପାଇବା ପରେ କ୍ୟାମ୍ପସ ପରିସରରେ ବିସିଜେଡି ସମର୍ଥକଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଏବଂ ବାଜା ରୋଷଣୀ ସହ ବିଜୟ ଉତ୍ସବ ପାଳନ କରାଯାଇଛି। ଛାତ୍ରନେତାମାନେ ଆଗାମୀ ଦିନରେ କଲେଜର ଭିତ୍ତିଭୂମି ବିକାଶ ଓ ଏହାକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତ ।

ସେହିପରି ଜିଲ୍ଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ବରଗଡ଼ ମହିଳା ମହାବିଦ୍ୟାଳୟ (BCJD )ପ୍ରାର୍ଥୀ ବାଜିମାତ୍ କରିଛନ୍ତି। ଏଠାରେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ବେଶ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଜିଲ୍ଲାର ଶାନ୍ତିପୂର୍ଣ୍ଣ ମାହୋଲ ମଧ୍ୟରେ ବରପାଲି କଲେଜରେ ନିର୍ବାଚନକୁ ନେଇ ବଡ଼ ଧରଣର ବିବାଦ ସାମ୍ନାକୁ ଆସିଛି। ଏ ସଭାପତି ପଦବୀରେ BCJD ପ୍ରାର୍ଥୀ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା। ଏହାକୁ ନେଇ ABVP ଅଭିଯୋଗ କରିଛି ଯେ ଭୋଟ ଗଣତି ସମୟରେ ବାଲଟ ପେପର ସେମାନଙ୍କ ଏଜେଣ୍ଟଙ୍କୁ ଦେଖାଯାଇ ନାହିଁ ଏବଂ କେବଳ ଅସିଦ୍ଧ ଇନଭାଲିଡି ଭୋଟଗୁଡ଼ିକୁ ପୁନଃ ଗଣତି କରାଯାଇ ପ୍ରକ୍ରିୟାରେ ସ୍ୱଚ୍ଛତା ରଖାଯାଇ ନାହିଁ। ଏହି ଘଟଣାକୁ କେନ୍ଦ୍ର କରି କଲେଜ ଗେଟ୍ ସମ୍ମୁଖରେ ଛାତ୍ରମାନଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଉତ୍ତେଜନା ପ୍ରକାଶ ପାଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ କରିବାକୁ ପଡ଼ିଥିଲା।( ABVP) ପକ୍ଷରୁ କଲେଜ ଅଧ୍ୟକ୍ଷ ଏବଂ ବରଗଡ଼ ଉପ-ଜିଲ୍ଲାପାଳଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରାଯାଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ ଦିଆଯାଇଛି।






