ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ:
ବାତ୍ୟା ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲେ ମଧ୍ୟ ଏହାର ବାହ୍ୟ ବଳୟ ପ୍ରଭାବରେ ବରଗଡ଼ ସମେତ ଆଖପାଖ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପାଣିପାଗରେ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ଅକ୍ଟୋବର ୨୮ ବରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତାକାଲି ଅକ୍ଟୋବର ୨୯ ମଧ୍ୟ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିପାରେ। ବର୍ଷା ସହିତ ଜିଲ୍ଲାରେ ବଜ୍ରପାତ ଏବଂ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ଅଛି, ଯାହା କେତେକ ସ୍ଥାନରେ ୬୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଚାଷୀଙ୍କ ପାଇଁ ସତର୍କ ସୂଚନା ବରଗଡ଼ ହେଉଛି ଓଡ଼ିଶାର ଭାତହାଣ୍ଡି ଏବଂ ଏହି ସମୟରେ ଧାନ ଚାଷ ଅନ୍ତିମ ପର୍ଯ୍ୟାୟରେ ରହିଥାଏ। ତେଣୁ ସରକାରଙ୍କ କୃଷି ବିଭାଗ ପକ୍ଷରୁ ବରଗଡ଼ର ଚାଷୀମାନଙ୍କୁ ସେମାନଙ୍କର ୮୦-୮୫% ପାକଳ ହୋଇଯାଇଥିବା ଧାନ କିମ୍ବା ଅନ୍ୟାନ୍ୟ ଫସଲକୁ ଶୀଘ୍ର କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର କିଛି ତଳିଆ ଅଞ୍ଚଳରେ ଏବଂ ସହରର ଡ୍ରେନେଜ୍ ସମସ୍ୟା ଥିବା ସ୍ଥାନରେ ସାମାନ୍ୟ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ୍ ଓ ତହସିଲ ସ୍ତରରେ କଣ୍ଟ୍ରୋଲ ରୁମ୍କୁ ସକ୍ରିୟ କରାଯାଇଛି ଏବଂ ସ୍ଥିତି ଉପରେ ନଜର ରଖାଯାଇଛି। ସ୍ଥାନୀୟ ଲୋକଙ୍କୁ ବର୍ଷା ଓ ପବନ ସମୟରେ ବାହାରକୁ ନବାହାରିବାକୁ ଏବଂ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ଆଶ୍ରୟସ୍ଥଳରେ ରହିବାକୁ କୁହାଯାଇଛି।






