ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ/21/11/2026:
ବରଗଡ଼ ଜିଲ୍ଲାରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନିକଟରେ ଜିଲ୍ଲାର ପାଇକମାଳ ବ୍ଲକ ଅନ୍ତର୍ଗତ ୨୧୦ଟି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକାମାନେ ସିଡିପିଓ (CDPO) କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିମ୍ନମାନର ପୋଷାକ ଓ ସାମଗ୍ରୀ ଯୋଗାଣ: ଅଭିଯୋଗ ଅନୁଯାୟୀ, ଅଙ୍ଗନୱାଡି କେନ୍ଦ୍ରରେ ପଢ଼ୁଥିବା ଶିଶୁମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ୟୁନିଫର୍ମ, ଜୋତା ଏବଂ ଶୀତବସ୍ତ୍ର (ସ୍ୱେଟର) ଯୋଗାଇ ଦିଆଯାଇଥାଏ। ତେବେ ପାଇକମାଳ ସିଡିପିଓ ସରକାରୀ ଟେଣ୍ଡର ନିୟମକୁ ଉଲ୍ଲଂଘନ କରି ମନମୁଖୀ ଭାବେ ଅତ୍ୟନ୍ତ ନିମ୍ନମାନର ପୋଷାକ ଯୋଗାଇ ଦେଇଥିବା କର୍ମୀମାନେ ଅଭିଯୋଗ କରିଛନ୍ତି। ୋ ଗାଯାଇଥିବା ପୋଷାକଗୁଡ଼ିକ ୬ ମାସ ମଧ୍ୟ ଭଲ ଭାବେ ଯାଉନଥିବା ଏବଂ ଚିରି ଯାଉଥିବା ସେମାନେ କହିଛନ୍ତି । ଶୀତ ଋତୁ ଆରମ୍ଭ ହୋଇଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଶିଶୁମାନଙ୍କୁ ସ୍ୱେଟର ବଣ୍ଟନ କରାଯାଇ ନଥିବାରୁ କର୍ମୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଧାରଣା ସମୟରେ ସିଡିପିଓ ଅନୁପସ୍ଥିତ ଥିବାରୁ ଭାରପ୍ରାପ୍ତ ସିଡିପିଓ ବିକ୍ଷୋଭକାରୀଙ୍କ ସହ ଆଲୋଚନା କରିଥିଲେ ଏବଂ ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ, ଅଲ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ଆସନ୍ତା ନଭେମ୍ବର ୨୩ ତାରିଖରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି। ୫୫ ବର୍ଷ ବୟସରେ କାର୍ଯ୍ୟଦକ୍ଷତା ସମୀକ୍ଷା ଓ ଛଟେଇ ନୀତି ପ୍ରତ୍ୟାହାର, ଦରମା ବୃଦ୍ଧି, ସରକାରୀ ମାନ୍ୟତା ଏବଂ ଅବସରକାଳୀନ ସହାୟତା ଭଳି ୭ ଦଫା ଦାବି ନେଇ ବରଗଡ଼ ସମେତ ସାରା ରାଜ୍ୟର ଅଙ୍ଗନୱାଡି କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଜବାଜ ହେଉଛନ୍ତି।






