ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୪/୧୧/୨୬ – ଫରେଷ୍ଟର ଶ୍ରୀବନ୍ତୀ ମାରାଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ସମସ୍ତ ଫରେଷ୍ଟ ସେକ୍ସନ ଅନ୍ତର୍ଗତ କାର୍ଯ୍ୟରତ ବନ କର୍ମଚାରୀ ଦକ୍ଷତା ବୃଦ୍ଧି ତାଲିମ ଶିବିର ସରଗୋଡା ଫରେଷ୍ଟ ସେକ୍ସନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ରେଞ୍ଜ ଅଫିସର ନବ କିଶୋର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ତାଲିମ ଶିବିରରେ ରାଇରଙ୍ଗପୁର ଡ଼ିଏଫଓ ସୁବ୍ରତ ପାତ୍ର ମୁଖ୍ୟଅତିଥି, ସ୍ୱତନ୍ତ୍ର ଅତିଥିଭାବେ ଅବସରପ୍ରାପ୍ତ ଡ଼ିଏଫଓ ବୈଦନାଥ ମାଝୀ ଏବଂ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ରେଞ୍ଜ ଅଫିସର ସତ୍ୟବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ |ମୁଖ୍ୟଅତିଥି ଡ଼ିଏଫଓ ଶ୍ରୀଯୁକ୍ତ ପାତ୍ର ଉପସ୍ଥିତ ରାଇରଙ୍ଗପୁର ବନଖଣ୍ଡର ସମସ୍ତ ବନ କର୍ମଚାରୀମାନଙ୍କୁ ଉଦବୋଧନ ଦେଇ ବନସୁରକ୍ଷା କ୍ଷେତ୍ରରେ ସଚ୍ଚୋଟତା ପ୍ରତିପାଦନ କରିବା, ଅଧିକ ଜଙ୍ଗଲ ସୃଷ୍ଟି କରିବାରେ ବନ ସୁରକ୍ଷା କର୍ମୀମାନଙ୍କୁ ଉତ୍ସାହିତ କରିବା ତଥା ସରକାରଙ୍କ ବନୀକରଣ ଇତ୍ୟାଦି ଯୋଜନାର ସଫଳ ରୂପାୟନ, ହାତୀ ଯୋଗୁଁ ଧାନଫସଲ ଇତ୍ୟାଦି ନଷ୍ଟ ହେଉଥିବାରୁ ଏହାର କ୍ଷତିପୂରଣ ଭରଣା ସମ୍ବନ୍ଧରେ ତୁରନ୍ତ ପଦକ୍ଷେପ ନେବା, ଜଙ୍ଗଲ ଧ୍ବଂସ ଏବଂ ବନ୍ୟଜନ୍ତୁଙ୍କୁ ଶିକାର କରି ଏହାର ମୂଲ୍ୟବାନ ଅଂଗ ଇତ୍ୟାଦି ବିକ୍ରି କରିବା ନିମନ୍ତେ ଉଦ୍ୟମ କରୁଥିବା ତସ୍କରଙ୍କ ଗୁପ୍ତ ତଥ୍ୟ ସଂଗ୍ରହ ସହିତ କାର୍ଯାନୁଷ୍ଠାନ ନେବା ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଅତିଥି ଅବସରପ୍ରାପ୍ତ ଡ଼ିଏଫଓ ଶ୍ରୀଯୁକ୍ତ ମାଝୀ ଓ ଅବସରପ୍ରାପ୍ତ ରେଞ୍ଜ ଅଫିସର ଶ୍ରୀଯୁକ୍ତ ପଟ୍ଟନାୟକ ବନ ସୁରକ୍ଷା କ୍ଷେତ୍ରରେ ସେମାନଙ୍କର ବିଗତ ଦିନର ଅନୁଭୂତି ଓ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଦିଗଦର୍ଶନ ଦେଇଥିଲେ । ତାଲିମ ଶିବିରର ଅନ୍ତିମ ପର୍ଯାୟରେ ଫରେଷ୍ଟର ଶ୍ରୀମତୀ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ସରଗୋଡା ପରି ବନପାହାଡ଼ ଘେରା ଅଭ୍ୟନ୍ତରୀଣ ଅଞ୍ଚଳ ଏପରି ତାଲିମ ଶିବିର ଅନୁଷ୍ଠିତ ହୋଇଥିବାରୁ ପରିବେଶବିଦ ମାନେ ବନ ସୁରକ୍ଷା ଓ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି ହେବାର ଆଶା ପ୍ରକାଶ କରିଛନ୍ତି ।






