ବିଭୁତି ପ୍ରସାଦ ପଣ୍ଡା /ଜିଲ୍ଲା ପ୍ରତିନିଧି/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:
ନବରଙ୍ଗପୁର,୦୯ ନଭେମ୍ବର ୨୦୨୬- ଜାତୀୟ ପ୍ରେସ୍ ଦିବସ-୨୦୨୬ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ସମାରୋହର ପୂର୍ବ ପ୍ରସ୍ତୁତି ସ୍ୱରୂପ ସ୍ଥାନୀୟ ମଡେଲ୍ ଡିଗ୍ରୀ ମହାବିଦ୍ୟାଳୟଠାରେ ଏକ ବିତର୍କ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଚଳିତ ବର୍ଷର ଜାତୀୟ ପ୍ରେସ୍ ଦିବସର ବିଷୟବସ୍ତୁ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ଉପରେ ଆଧାରିତ ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜ ନିଜର ଯୁକ୍ତି, ମତାମତ ଓ ଚିନ୍ତାଧାରା ଉପସ୍ଥାପନ କରିଥିଲେ। ସାମ୍ବାଦିକତାର ନୈତିକ ମୂଲ୍ୟବୋଧ, ସତ୍ୟନିଷ୍ଠା, ନିରପେକ୍ଷତା, ସାମାଜିକ ଦାୟିତ୍ୱବୋଧ ଏବଂ ଗଣତନ୍ତ୍ରର ସୁଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଉପରେ ସେମାନେ ଆଲୋକପାତ କରିଥିଲେ। ବର୍ତ୍ତମାନର ଡିଜିଟାଲ୍ ଓ ପରିବର୍ତ୍ତିତ ଗଣମାଧ୍ୟମ ପରିବେଶରେ ଲୋକପ୍ରିୟତା ହାସଲ କରିବା ଅପେକ୍ଷା ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ସହ ଜନସ୍ୱାର୍ଥକୁ ସର୍ବାଧିକ ପ୍ରାଧାନ୍ୟ ଦେବାର ଆବଶ୍ୟକତା ଉପରେ ପ୍ରତିଯୋଗୀମାନେ ମତ ରଖିଥିଲେ। ଏଭଳି ପ୍ରତିଯୋଗିତା ଯୁବପିଢ଼ିଙ୍କ ମଧ୍ୟରେ ମୁକ୍ତ ଚିନ୍ତନ, ଯୁକ୍ତିସଙ୍ଗତ ମତବିନିମୟ ଓ ଦାୟିତ୍ୱପୂର୍ଣ୍ଣ ଗଣମାଧ୍ୟମ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ସହ ସାମ୍ବାଦିକତାର ମୂଳ ଆଦର୍ଶ ପ୍ରତି ସମ୍ମାନବୋଧ ସୃଷ୍ଟି କରିବାରେ ସହାୟକ ହେବ। ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଆସନ୍ତା ୧୬ ନଭେମ୍ବର ୨୦୨୬ ତାରିଖରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ସମାରୋହରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ।






