ଅଚ୍ୟୁତ ଜାନୀ/ ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:
କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ପସରା ପଞ୍ଚାୟତର ବରଡାଖୋଲ , ପାଜିଗୁଡ଼ା ଓ ରୀଙ୍ଗିବାଡ଼ି ୱାର୍ଡ ଭୁଲବଶତଃ ବ୍ରାହ୍ମଣପାଦ ପଞ୍ଚାୟତରେ ସଂଯୋଗ ହୋଇଥିବା ଅଭିଯୋଗକୁ ନେଇ ଦୀର୍ଘଦିନ ଧରି ଲାଗିରହିଛି ଅସନ୍ତୋଷ। ଏହି ସମସ୍ୟାର ସମାଧାନ ଦାବିରେ ରୀଙ୍ଗିବାଡ଼ି ଗ୍ରାମବାସୀଙ୍କ ସହ ଚକାପାଦ ବିଡିଓ ହୃଦାନନ୍ଦ ସାହୁ ଆଲୋଚନା କରିଛନ୍ତି। ସୂଚନା ଅନୁଯାୟୀ, ୨୦୧୭ ମସିହା ପଞ୍ଚାୟତ ନିର୍ବାଚନଠାରୁ କୌଣସି କାରଣରୁ ପସରା ପଞ୍ଚାୟତ ଅଧୀନରେ ଥିବା ବରଡାଖୋଲ, ପାଜିଗୁଡ଼ା ଓ ରୀଙ୍ଗିବାଡ଼ି ୱାର୍ଡ ବ୍ରାହ୍ମଣପାଦ ପଞ୍ଚାୟତ ସହ ସଂଯୋଗ ହୋଇଯାଇଛି। ଫଳରେ ଉଭୟ ୱାର୍ଡର ଲୋକେ ଦୀର୍ଘ ୮ ବର୍ଷ ଧରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ର କାର୍ଯ୍ୟ ସୁବିଧାରୁ ବଞ୍ଚିତ ହେବା ସହ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ପାଇବାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ। ଏପରିକି ସମସ୍ୟାର ସମାଧାନ ନହେବାରୁ ପୂର୍ବରୁ ଗ୍ରାମବାସୀ ଭୋଟ୍ ବର୍ଜନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ।

ତଥାପି ସମସ୍ୟାର ସମାଧାନ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ଏହି ପରିପ୍ରେକ୍ଷୀରେ ଚକାପାଦ ବିଡିଓ ହୃଦାନନ୍ଦ ସାହୁ ରୀଙ୍ଗିବାଡ଼ି ଗସ୍ତ କରି ଉଭୟ ୱାର୍ଡର ଗ୍ରାମବାସୀଙ୍କୁ ଡାକି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ତେବେ ଗ୍ରାମବାସୀମାନେ ନିଜ ଦାବିରେ ଅଟଳ ରହିବା ସହ ବରଡାଖୋଲ ଓ ରୀଙ୍ଗିବାଡ଼ି ୱାର୍ଡକୁ ବ୍ରାହ୍ମଣପାଦ ପଞ୍ଚାୟତରୁ ବାଦ୍ ଦେଇ ପୁନର୍ବାର ପସରା ପଞ୍ଚାୟତରେ ସଂଯୋଗ କରିବାକୁ ଦୃଢ଼ ଦାବି ଜଣାଇଥିଲେ। ଆଲୋଚନା ଶେଷରେ ବିଡିଓ ଶ୍ରୀ ସାହୁ ଆଗାମୀ ନିର୍ବାଚନ ଥିବାରୁ ଏହି ପ୍ରକ୍ରିୟା ତତ୍କାଳ ସମ୍ଭବ ନୁହେଁ ଏବଂ ନିର୍ବାଚନ ପରେ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନା ସମୟରେ ବ୍ରାହ୍ମଣପାଦ ସରପଞ୍ଚ ରଶ୍ମିତା ମଳିକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପ୍ରଧାନ, ଏଡିଓ ସୁଶାନ୍ତ ପାତ୍ର, ଚକାପାଦ ପଞ୍ଚାୟତ ସମିତି ଅଧ୍ୟକ୍ଷା ବୈନେତ୍ରୀ କହଁର, ଜିପିଡିଓ ଧୀରଜ କୁମାର ସାବତ ଓ ଜେଇ ସୁଶାନ୍ତ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।





