କିର୍ତ୍ତୀ ଚନ୍ଦ୍ର ସାହୁ /ରାଜ୍ୟ ପ୍ରତିନିଧି / ବରିଷ୍ଠ ସାମ୍ବାଦିକ / ସମୀକ୍ଷା ନ୍ୟୁଜ : ତାରିଖ-୨୩/୧୧/୨୬
ମେସିନ୍ରେ ପଶିଗଲା ଚାଷୀଙ୍କ ମୁଣ୍ଡ ଓ ଗୋଡ଼; ଘଟଣାସ୍ଥଳରେ ମୃତ୍ୟୁ
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର କର୍ତ୍ତାଲାବା ଗ୍ରାମରେ ଛାତିଥରା ଅଘଟଣ, ଚାଷଜମିରେ ପଡ଼ିରହିଲା ମୃତଦେହ
ପଟ୍ଟାଙ୍ଗି: ଚାଷଜମିରେ ପାୱାର ଟିଲର ମେସିନ୍ରେ ଚାଷ କରୁଥିବା ବେଳେ ଘଟିଲା ଅଭାବନୀୟ ଦୁର୍ଘଟଣା। ମେସିନ୍ରେ ଗୋଡ଼ ଓ ମୁଣ୍ଡ ପଶିଯିବାରୁ ଜଣେ ଚାଷୀଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି। ଏଭଳି ହୃଦୟବିଦାରକ ଘଟଣା କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର କର୍ତ୍ତାଲାବା ଗ୍ରାମରେ ଘଟିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଗଭୀର ଶୋକ ଓ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଚାଷୀଙ୍କ ନାମ ପାଣ୍ଡୁ କଡ୍ରି। ସୂଚନା ଅନୁଯାୟୀ, ଦୁଇଦିନ ପୂର୍ବରୁ କିଣିଥିବା ନୂଆ ପାୱାର ଟିଲର ମେସିନ୍ରେ ସୋମବାର ସେ ନିଜ ଚାଷଜମିରେ ହଳ କରୁଥିଲେ। ଏହି ସମୟରେ କୌଣସି କାରଣରୁ ତାଙ୍କ ଗୋଡ଼ ମେସିନ୍ରେ ଟାଣି ହୋଇ ଭିତରକୁ ପଶିଯାଇଥିଲା। ଗୋଡ଼କୁ ମୁକ୍ତ କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ମୁଣ୍ଡ ମଧ୍ୟ ମେସିନ୍ରେ ଫସିଯାଇଥିଲା। ଫଳରେ ଅତ୍ୟନ୍ତ ମର୍ମନ୍ତୁଦ ଭାବେ ତାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାର ଭୟାବହତା ଦେଖି ନିକଟସ୍ଥ ଗ୍ରାମବାସୀ ଓ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଦୁର୍ଘଟଣାର ଗମ୍ଭୀରତା ଯୋଗୁଁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ଚାଷଜମିରେ ମୃତଦେହ ପଡ଼ିରହିଥିବା ଦୃଶ୍ୟ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଖବର ପାଇ କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ୍ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ନିରୀକ୍ଷକ ଓ ପଟ୍ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବ୍ଲକ୍ ଉପାଧ୍ୟକ୍ଷ ତ୍ରିନାଥ କଟଙ୍କ ସମେତ ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିଥିଲେ। ନୂଆ ଯନ୍ତ୍ରପାତିରେ ଚାଷ କରିବା ସମୟରେ ସାମାନ୍ୟ ଅସାବଧାନତା କେତେ ଭୟଙ୍କର ରୂପ ନେଇପାରେ, ଏହି ଦୁଃଖଦ ଘଟଣା ତାହାର ଏକ ମର୍ମସ୍ପର୍ଶୀ ଉଦାହରଣ।






