କିର୍ତ୍ତୀ ଚନ୍ଦ୍ର ସାହୁ /ରାଜ୍ୟ ପ୍ରତିନିଧି / ବରିଷ୍ଠ ସାମ୍ବାଦିକ / ସମୀକ୍ଷା ନ୍ୟୁଜ : ତାରିଖ– ୨୩/୧୧/୨୬
ସହରଠାରୁ ମାତ୍ର ୬ କି.ମି. ଦୂରରେ ପୂଜାରୀବମ୍ବୁ; ନୀତି ଦିନିଆ ରାସ୍ତା ନିର୍ମାଣ ପାଇଁ ଦାବୀ ରଖିଲେ ବିଜେପି ଯୁବ ନେତା -ଗୋପାଳ ଖୁରା
ରାୟଗଡ଼ା: ରାୟଗଡ଼ା ସହରଠାରୁ ମାତ୍ର ୬ କିଲୋମିଟର ଦୂରରେ ଅବସ୍ଥିତ ପୂଜାରୀବମ୍ବୁ ଗ୍ରାମବାସୀଙ୍କ ପାଇଁ ଆଜି ବି ଯାତାୟାତ ଏକ ବଡ଼ ସମସ୍ୟା। ନାଗାବଳୀ ନଦୀ ଓ ପାହାଡ଼ିଆ ପଥ ଅତିକ୍ରମ କରି ଯାତାୟାତ କରିବାକୁ ପଡ଼ୁଛି। ବର୍ଷା ଋତୁରେ ନଦୀର ଜଳସ୍ତର ବୃଦ୍ଧି ପାଇଲେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼େ। ଜୀବିକା, ଶିକ୍ଷା ଓ ଜରୁରୀ ଚିକିତ୍ସା ପାଇଁ ଗ୍ରାମବାସୀଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗ୍ରାମର ଏହି ଦୁରବସ୍ଥା ଦୀର୍ଘଦିନର। ବାରମ୍ବାର ଦାବି ସତ୍ତ୍ୱେ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ଅବହେଳା ପାଇଁ ପୂର୍ବତନ ଓ ବର୍ତ୍ତମାନର ଜନପ୍ରତିନିଧିଙ୍କ ଅବହେଳାକୁ ଦାୟୀ କରିବା ସହ ଦାୟିତ୍ୱବୋଧକୁ ନେଇ ବିଜେପି ଯୁବନେତା ଗୋପାଳ ଖୁରା ପ୍ରଶ୍ନ ଉଠାଇଛନ୍ତି। ସେ ପୂଜାରୀବମ୍ବୁ ଗ୍ରାମକୁ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରି ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଉଦ୍ୟମ କରାଯିବ ବୋଲି ସେ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଥିସହ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଠୋସ୍ ପଦକ୍ଷେପ ନେଇ ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।






