କିର୍ତ୍ତୀ ଚନ୍ଦ୍ର ସାହୁ /ରାଜ୍ୟ ପ୍ରତିନିଧି / ବରିଷ୍ଠ ସାମ୍ବାଦିକ / ସମୀକ୍ଷା ନ୍ୟୁଜ : ତାରିଖ– ୨୩/୧୧/୨୬
ଉଲ୍ଲଂଘନ କଲେ ଜରିମାନା ସହ କଠୋର କାର୍ଯ୍ୟାନୁଷ୍ଠାନ
ରାୟଗଡ଼ା: ସରକାରୀ ଜମି ଜବରଦଖଲ କରି ବ୍ୟବସାୟ କରୁଥିବା ଦୋକାନୀ ଓ ଅନ୍ୟ ବ୍ୟକ୍ତିଙ୍କ ପାଇଁ କଡ଼ା ଚେତାବନୀ ଜାରି କରିଛି ରାୟଗଡ଼ା ପୌରପରିଷଦ। ସହରକୁ ଜବରଦଖଲମୁକ୍ତ କରିବା ଲକ୍ଷ୍ୟରେ ପୌରପରିଷଦ ପକ୍ଷରୁ ଉଚ୍ଛେଦ ଓ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ଉପଜିଲ୍ଲାପାଳ ତଥା ପୌରପରିଷଦର ନିର୍ବାହୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ଚାଲିଛି। କପିଳାସ ଛକରୁ ରିଲାଏନ୍ସ ମାର୍ଟ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା, ସାରକା ଛକରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା, ଡାକ୍ତରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ, ମୁଖ୍ୟ ବଜାର ଏବଂ ନୂତନ ବସ୍ଷ୍ଟାଣ୍ଡ ନିକଟସ୍ଥ ରେଳ ଓଭରବ୍ରିଜ୍ ତଳେ ଥିବା ସରକାରୀ ଜମି ଉପରେ ପ୍ରଶାସନର ସ୍ୱତନ୍ତ୍ର ନଜର ରହିଛି। ରାସ୍ତାପାର୍ଶ୍ୱ, ଫୁଟପାଥ୍ ଓ ସର୍ବସାଧାରଣ ସ୍ଥାନ ଜବରଦଖଲ କରି ରଖିଥିବା ବ୍ୟକ୍ତିମାନେ ତୁରନ୍ତ ନିଜ ଦଖଲ ହଟାଇବା ସହ ସାମଗ୍ରୀ ଖାଲି କରିବାକୁ ପୌରପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଜବରଦଖଲ ଜାରି ରଖିଲେ ଦଖଲ ଉଚ୍ଛେଦ ସହ ଜରିମାନା ଆଦାୟ ଏବଂ ଆବଶ୍ୟକସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରପରିଷଦ ପକ୍ଷରୁ ସତର୍କ କରାଯାଇଛି। ସରକାରୀ ଜମିର ସୁରକ୍ଷା, ରାସ୍ତା ଓ ଫୁଟପାଥ୍କୁ ଜବରଦଖଲମୁକ୍ତ କରିବା ଏବଂ ସହରରେ ଯାତାୟାତକୁ ସୁଗମ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କତୃପକ୍ଷ ଜଣାଇଛନ୍ତି ।






