ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୧୦/୧୧/୨୬ -ମୟୂରଭଞ୍ଜର ସମୃଦ୍ଧ ନାଟ୍ୟ ପରମ୍ପରାକୁ ଅଧିକ ଋଦ୍ଧିମନ୍ତ କରିବା ସହ ବାରିପଦାର ନାଟ୍ୟପ୍ରେମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ଲକ୍ଷ୍ୟରେ ଏକ ତିନିଦିନିଆ ନାଟ୍ୟ ମହୋତ୍ସବ ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ବାରିପଦାର ତିନୋଟି ନାଟ୍ୟାନୁଷ୍ଠାନ ବାସ୍ତବ କଲଚରାଲ ଟ୍ରଷ୍ଟ, ନୂପୁର ନାଟ୍ୟ ସଂସ୍ଥା ଓ ଉଜ୍ଜୟିନୀ ନାଟ୍ୟଶାଳାର ମିଳିତ ଉଦ୍ୟମରେ ‘ତ୍ରିଧାରା ନାଟ୍ୟୋତ୍ସବ’ ନାମରେ ଏହି ମହୋତ୍ସବ ଆୟୋଜିତ ହେବାକୁ ଯାଉଛି ବୋଲି ଜଣାପଡିଛି । ଏହି ଅବସରରେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଅନ୍ନଦାଶଙ୍କର ଦାଶଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ସହରର ବହୁ ବରିଷ୍ଠ ନାଟ୍ୟଶିଳ୍ପୀ ଓ କଳାକାର ଯୋଗଦେଇ ଉତ୍ସବର ସଫଳ ଆୟୋଜନ ନିମନ୍ତେ ନିଜ ନିଜର ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଭିନେତା ତଥା ନାଟ୍ୟ ପ୍ରେମୀ ସତ୍ୟବାନ ସେଠି ଙ୍କ ଅକାଳ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଏକ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ନାଟ୍ୟ ଉତ୍ସବର ସୁପରିଚାଳନା ପାଇଁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା କଳାକାର ଅନ୍ନଦାଶଙ୍କର ଦାଶ ଉତ୍ସବର ସଭାପତି, ଅଭିନେତା ଡ଼. ସତ୍ୟ ନାରାୟଣ ଦାସ ଉପସଭାପତି, ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଡ. କୁମରମଣି ନାୟକ ଆବାହକ, ବରିଷ୍ଠ କଳାକାର ଜ୍ଞାନରଞ୍ଜନ ପଣ୍ଡା ମୁଖ୍ୟ ସଂଯୋଜକ, ନିର୍ଦ୍ଦେଶକ ମହେଶ କୁମାର ସାହୁ ସମ୍ପାଦକ, ଅଭିନେତା ଅଜୟ କୁମାର ପରିଡା ସହ ସମ୍ପାଦକ, ରଣଜିତ କୁମାର ସାହୁ ଲୋକ ସମ୍ପର୍କ ସମ୍ପାଦକ ଏବଂ ବରିଷ୍ଠ କଳାକାର ସୋମନାଥ ସିଂହ ଗଣମାଧ୍ୟମ ସଂଯୋଜକ ଭାବେ ମନୋନୀତ ହୋଇଛନ୍ତି I ଏଥି ସହ ଅତିଥି ଅଭ୍ୟର୍ଥନା ଓ ଶୃଙ୍ଖଳା କମିଟିର ସଦସ୍ୟ ଭାବେ ଧନଞ୍ଜୟ ସାହୁ, ରାଜେନ୍ଦ୍ର ସାହୁ ଓ ଅଭିଜିତ ପଣ୍ଡାଙ୍କୁ ମନୋନୀତ କରାଯାଇଅଛି । ପ୍ରଥମ ସନ୍ଧ୍ୟାରେ ମହେଶ ସାହୁ (ତପୁବାବା)ଙ୍କ ରଚିତ ଓ ନିର୍ଦ୍ଦେଶିତ ପାପ ପୁଣ୍ୟ, ଦ୍ୱିତୀୟ ସନ୍ଧ୍ୟାରେ ସ୍ୱର୍ଗତ ରଣଜିତ ପଟ୍ଟନାୟକଙ୍କ ରଚିତ ଏବଂ ଅନ୍ନଦାଶଙ୍କର ଦାଶଙ୍କ ନିର୍ଦ୍ଦେଶିତ ନାଟକ ତିତଲି ଓ ଉଦଯାପନୀ ସନ୍ଧ୍ୟାରେ ଡ. କୁମରମଣି ନାୟକଙ୍କ ରଚିତ ଓ ନିର୍ଦ୍ଦେଶିତ ଆପଣା ଦନ୍ତେ ଜିହ୍ୱା ଛେଦି ନାଟକ ପରିବେଷିତ ହେବ ବୋଲି ମିଡ଼ିଆ ସଂଯୋଜକ ଶ୍ରୀ ସିଂହ ପ୍ରକାଶ କରିଛନ୍ତି । ବୈଠକରେ ମଞ୍ଚ ଓ ରିଲସ ଜଗତର ବରିଷ୍ଠ କଳାକାର ପ୍ରସନ୍ନ କୁମାର ମହାନ୍ତି, ତାପସ ପାଢ଼ୀ, ରାଜେନ୍ଦ୍ର ସାହୁ, ଧନଞ୍ଜୟ ସାହୁ, ପ୍ରଶାନ୍ତ ନନ୍ଦ, ସୁବ୍ରତ ବଶା, ଅଭିଜିତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନାଟ୍ୟୋତ୍ସବର ସଫଳତା ପାଇଁ ନିଜସ୍ୱ ମତାମତ ଓ ପ୍ରସ୍ତାବ ରଖିଥିଲେ ।






