ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ବାହାଡ଼ାଝୋଲା: ବୟସର ଅପରାହ୍ଣରେ ମୁଣ୍ଡ ଉପରେ ପରିବାରର ସାହାରା ନାହିଁ। ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ସରକାରୀ ଭତ୍ତା ଉପରେ ଭରସା କରୁଥିବା ବେଳେ ଗତ ଚାରିମାସ ଧରି ତାହା ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି। ଏଭଳି ପରିସ୍ଥିତିରେ ଅତ୍ୟନ୍ତ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ପାଣିକପାଟଣା ହରିଜନ ସାହିର ଅହଲ୍ୟା ନାୟକ (୮୨)। ତାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ସହାୟତାର ହାତ ବଢ଼ାଇବାକୁ ଦାବି ହୋଇଛି। ଅହଲ୍ୟାଙ୍କ କହିବା ଅନୁଯାୟୀ, ତାଙ୍କୁ ପୂର୍ବରୁ ମାସିକ ୧ ହଜାର ଟଙ୍କା ଭତ୍ତା ମିଳୁଥିଲା। ସେହି ଅର୍ଥରେ ନିଜର କିଛି ଜରୁରୀ ଖର୍ଚ୍ଚ ତୁଲାଉଥିଲେ। ମାତ୍ର ଗତ ଚାରିମାସ ହେଲା ଭତ୍ତା ମିଳିନଥିବାରୁ ସେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କେଉଁ କାରଣରୁ ଭତ୍ତା ପ୍ରଦାନ ବନ୍ଦ ରହିଛି, ତାହା ଜଣାପଡ଼ିନାହିଁ। ଅହଲ୍ୟାଙ୍କ ପାଖରେ ପୁଅ, ବୋହୂ କିମ୍ବା ଝିଅ କେହି ନଥିବାରୁ ଏହି ବୟସରେ ତାଙ୍କୁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଛି। ଖାଦ୍ୟ ପାଇଁ ମଧ୍ୟ ତାଙ୍କୁ ସଂଘର୍ଷ କରିବାକୁ ପଡ଼ୁଥିବା ବେଳେ କେବେ ଗୋଟିଏ ଓଳି ଖାଇଲେ ଅନ୍ୟ ଓଳି ଉପାସ ରହୁଥିବା ସେ କହିଛନ୍ତି। ଏଭଳି ଅବସ୍ଥାରେ ନିୟମିତ ଭତ୍ତା ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସାହାରା। ସରକାରଙ୍କ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ରାସନ କାର୍ଡ ମାଧ୍ୟମରେ ମାସକୁ ୫ କିଲୋଗ୍ରାମ ମାଗଣା ଚାଉଳ ମିଳୁଥିବା ଅହଲ୍ୟା ପ୍ରକାଶ କରିଛନ୍ତି। ହେଲେ ମାସସାରା ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଏହା ଯଥେଷ୍ଟ ହେଉନଥିବା ଅଭିଯୋଗ କରିଛନ୍ତି। ଏହାଛଡ଼ା ଅନ୍ୟାନ୍ୟ ଖାଦ୍ୟସାମଗ୍ରୀ, ଔଷଧ ଓ ଦୈନନ୍ଦିନ ଆବଶ୍ୟକତା ପାଇଁ ଅର୍ଥର ଅଭାବ ରହିଛି।

ଅସହାୟ ବୃଦ୍ଧବୃଦ୍ଧାଙ୍କ ଜୀବନଧାରଣ ପାଇଁ ସରକାରୀ ଭତ୍ତା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସୁରକ୍ଷା ବ୍ୟବସ୍ଥା। ମାତ୍ର ଅହଲ୍ୟାଙ୍କ ଭଳି ଜଣେ ବୟସ୍କ ହିତାଧିକାରୀ ଦୀର୍ଘ ଚାରିମାସ ଧରି ଭତ୍ତା ପାଇନଥିବା ଅଭିଯୋଗ ଏହି ବ୍ୟବସ୍ଥାର ତଦାରଖକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଭତ୍ତା ପ୍ରଦାନରେ କୌଣସି ବୈଷୟିକ କିମ୍ବା ପ୍ରଶାସନିକ ସମସ୍ୟା ରହିଛି କି ନାହିଁ, ତାହା ଯାଞ୍ଚ କରିବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଅହଲ୍ୟାଙ୍କ ବକେୟା ଭତ୍ତା ତୁରନ୍ତ ପ୍ରଦାନ କରିବା ସହ ତାଙ୍କ ବୟସ ଓ ଅସହାୟ ଅବସ୍ଥାକୁ ବିଚାର କରି ମାସିକ ୩୫୦୦ ଟଙ୍କା ଭତ୍ତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ଖାଦ୍ୟ, ଚିକିତ୍ସା ଓ ଅନ୍ୟାନ୍ୟ ଉପଲବ୍ଧ ସରକାରୀ ସୁବିଧା ତାଙ୍କୁ ଯୋଗାଇଦେବାକୁ ଅନୁରୋଧ କରାଯାଇଛି। ନୂଆଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଏହି ଘଟଣାର ଅନୁଧ୍ୟାନ କରି ଭତ୍ତା ନମିଳିବାର କାରଣ ସ୍ପଷ୍ଟ କରିବା ସହ ନିୟମ ଅନୁଯାୟୀ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି। ଜୀବନର ଶେଷ ପର୍ଯ୍ୟାୟରେ ଅହଲ୍ୟାଙ୍କୁ ଅନ୍ତତଃ ନିୟମିତ ଖାଦ୍ୟ ଓ ଆର୍ଥିକ ସୁରକ୍ଷା ମିଳିବା ଦିଗରେ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା।





