ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୧୧/୧୧/୨୬ – ମାତୃ, ନବଜାତ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ଉନ୍ନତି ସହ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ଓ ପୁଷ୍ଟି କର୍ମୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ନୀତି ଆୟୋଗଙ୍କ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକଦିବସୀୟ ଜିଲ୍ଲାସ୍ତରୀୟ ତାଲିମ ଶିବିର ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ୮ଟି ଆକାଂକ୍ଷୀ ବ୍ଲକରୁ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ଏଏନଏମ, ସୁପରଭାଇଜର ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବିଶ୍ୱନାଥ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଞ୍ଜୁକ୍ତା ମହାରଣା ଏବଂ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ଲେମ୍ଭା ମାରାଣ୍ଡିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ପ୍ରାରମ୍ଭିକ ଅଧିବେଶନରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୂଚକାଙ୍କର ଉନ୍ନତି ସହ କମ ଜନ୍ମ ଓଜନ, ଅପପୁଷ୍ଟି, କିଶୋରୀ ଗର୍ଭଧାରଣ ଓ ବାଲ୍ୟବିବାହ ଭଳି ସମସ୍ୟାର ପ୍ରତିରୋଧ ଓ ନିରାକରଣ ଉପରେ ଆଲୋଚନା ହୋଇଥିଲା । ତାଲିମରେ ଆଲୋଚିତ ବିଷୟବସ୍ତୁକୁ କ୍ଷେତ୍ରସ୍ତରରେ ପ୍ରୟୋଗ କରିବା ସହ ବିଭିନ୍ନ ବିଭାଗ ଓ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତଥା ପୁଷ୍ଟି ସେବା ପ୍ରଦାନକୁ ଅଧିକ ସୁସଂଗଠିତ କରିବା ଉପରେ ଶିବିରରେ ଗୁରୁତ୍ୱ ଦିଆଯାଇଥିଲା ।

ତାଲିମ ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ପର୍କିତ ବୈଷୟିକ ଅଧିବେଶନ ଆୟୋଜିତ ହୋଇଥିଲା । ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ସୁଯୋଗ ନାୟକ ଗର୍ଭାବସ୍ଥାରେ ମାତୃ ଯତ୍ନ ଓ ଜଟିଳତାର ଚିହ୍ନଟ ସମ୍ପର୍କରେ ତାଲିମ ଦେଇଥିବା ବେଳେ ଶିଶୁ ରୋଗ ବିଶେଷଜ୍ଞ ଡା. ହରିଶ ସାହୁ ନବଜାତ ଶିଶୁର ଯତ୍ନ, ସ୍ତନ୍ୟପାନ ଏବଂ ଅପପୁଷ୍ଟିର ଚିହ୍ନଟ ଓ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଏଥିସହ ଅଂଶଗ୍ରହଣକାରୀ ମାନେ କ୍ଷେତ୍ରସ୍ତରୀୟ ସମସ୍ୟା ଉପସ୍ଥାପନ କରି ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇଥିଲେ । ଏହି ତାଲିମ ଶିବିରରେ ରାଇରଙ୍ଗପୁର, ଯଶୀପୁର, ଠାକୁରମୁଣ୍ଡା, ଜାମଦା, ବିଜାତଳା, କୁସୁମୀ, ତିରିଂ ଓ ବହଳଦା ବ୍ଲକରୁ ବହୁଳକର୍ମୀ ଏଥିରେ ଯୋଗ ଦେଇ ପରାମର୍ଶ ଗ୍ରହଣ କରିଥିଲେ । ଆକାଂକ୍ଷୀ ବ୍ଲକ ଫେଲୋ, ରାଇରଙ୍ଗପୁରର ଅନନ୍ୟା ବଳିଆରସିଂହ ଏବଂ କୁସୁମୀର ଏସ. ଶୁଭଲକ୍ଷ୍ମୀ କାର୍ଯ୍ୟକ୍ରମର ସମନ୍ୱୟ ଦାୟିତ୍ୱ ତୁଲାଇଥିବା ସମୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ସହକାରୀ ନିର୍ଦ୍ଦେଶକ ଡା. ଗାୟତ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।





