ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ଗୋପବନ୍ଧୁ ନଗର, ୨୧/୧୧/୨୬ -ମୟୂରଭଂଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଅନ୍ତର୍ଗତ ସାଇଁକୁଳା ଏକ ଶିକ୍ଷିତ ଗ୍ରାମ ଭାବେ ନିକଟ ଅଂଚଳରେ ବେଶ ପରିଚିତ । ହେଲେ ବହୁବର୍ଷ ପୂର୍ବରୁ ଗ୍ରାମରେ ପୁଅ ଓ ଝିଅଙ୍କ ପାଇଁ ରହିଛି ପୃଥକ ପ୍ରାଥମିକ ବିଦ୍ୟାଳୟ । ସ୍ୱାଧିନତା ପରଠାରୁ ଆଜି ପର୍ଯ୍ୟନ୍ତ ଝିଅ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଦ୍ୟାଳୟରେ ପୁଅ କିମ୍ବା ପୁଅ ପିଲାଙ୍କ ପାଇଁଥିବା ବିଦ୍ୟାଳୟରେ ଝିଅ ଆଦୌ ନାମ ଲେଖାଇ ନାହାଁନ୍ତି କିମ୍ବା ବ୍ୟତିକ୍ରମ ହୋଇନି ବୋଲି ଜଣାପଡିଛି । ଦୁଇଟି ଯାକ ବିଦ୍ୟାଳୟ ଗୋଟିଏ ଗ୍ରାମରେ ଖୁବ ଅଳ୍ପ ବ୍ୟବଧାନ ମଧ୍ୟରେ ଅବସ୍ଥିତ । ଦୁଇଟିଯାକ ସରକାରୀ ବିଦ୍ୟାଳୟ ହୋଇଥିବା ବେଳେ ଏପରି ବ୍ୟବସ୍ଥା ଦେଖି ବର୍ତ୍ତମାନ ବିଭିନ୍ନ ମହଲରେ ଏନେଇ ଚର୍ଚ୍ଚା ଜୋର ଧରିଛି । ସେ ବେଳର ପୁରାତନ ମାନସିକତାରେ ପରିବର୍ତ୍ତନର ଯଥେଷ୍ଟ ଆବଶ୍ୟକତା ରହିଥିବା ନେଇ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ପୁଅ, ଝିଅଙ୍କୁ ଅଲଗା କରି ପାଠପଢ଼ାଇବା ଉଚିତ ନୁହେଁ ବୋଲି ଶିକ୍ଷା ଉପରେ ଗବେଷଣା କରୁଥିବା ଗବେଷକ ମାନେ ମଧ୍ୟ ମତ ଦେଇଛନ୍ତି । ସେଥିପାଇଁ ସରକାର କୋ ଏଜୁକେସନ ସିଷ୍ଟମ (ସହଶିକ୍ଷା ବ୍ୟବସ୍ଥା) ଲାଗୁ କରିଛନ୍ତି । କିନ୍ତୁ ସାଇଁକୁଳା ଗ୍ରାମରେ ସରକାରଙ୍କର ଏହି ନୀତି ସମ୍ପୁର୍ଣ୍ଣ ବିଫଳତା ଆଡ଼କୁ ଗତି କରୁଛି ବୋଲି ଅନେକ କହିଛନ୍ତି । ଏହାକୁ ଗ୍ରାମବାସୀଙ୍କର ଏକ ବହୁ ପୁରାତନ ଚିନ୍ତାଧାରା ଏବଂ ମାତ୍ର ସ୍ୱଳ୍ପ ବ୍ୟବଧାନ ଭିତରେ ଦୁଇଟି ବିଦ୍ୟାଳୟ ରହିବା ତଥା ଗ୍ରାମାଞ୍ଚଳରେ ଦୁଇଟି ବିଦ୍ୟାଳୟ ପାଇଁ ବିଦ୍ୟାର୍ଥୀଙ୍କ ସଂଖ୍ୟା ଛାଡି ଯଥେଷ୍ଟ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପସ୍ଥିତିକୁ ମଧ୍ୟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ଚର୍ଚ୍ଚା ହେଉଥିବା ଜଣାପଡିଛି । ତେବେ ବାଳକ ପଢ଼ୁଥିବା ବିଦ୍ୟାଳୟଟି ୧୮୮୫ ମସିହା ଏବଂ ବାଳିକା ପଢ଼ୁଥିବା ବିଦ୍ୟାଳୟଟି ୧୯୨୫ ମସିହାରେ ସ୍ଥାପିତ ହୋଇଥିବାର ଜଣାଯାଇଛି । ଏହି ଦୁଇଟିଯାକ ବିଦ୍ୟାଳୟ ସମଗ୍ର କପ୍ତିପଦା ଉପଖଣ୍ଡରେ ସର୍ବପୁରାତନ ବିଦ୍ୟାଳୟ ଭାବରେ ପରିଗଣିତ । ଦୁଇଟି ଯାକ ବିଦ୍ୟାଳୟରେ ପୂର୍ବରୁ ୫ମଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ପର ମୁହୂର୍ତ୍ତରେ ସରକାର ଏହାକୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଣତ କରିଛନ୍ତି । ମୟୂରଭଂଜରେ କାର୍ଯ୍ୟରତ ଲୋକ ସଂଗଠନ ଜନଜାଗୃତି ମଂଚରେ ନିଯୁକ୍ତି ପାଇଥିବା ଉର୍ମି ଲିଡ଼ର ମାନେ ‘ସହଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା’ ବିଷୟବସ୍ତୁକୁ ନେଇ ଶିକ୍ଷା ଚୌପାଇ କାର୍ଯ୍ୟକ୍ରମ ଆୟୋଜନ ସମୟରେ ସାଇଁକୁଳା ଗ୍ରାମଠାରେ ଏକ ଆଲୋଚନାଚକ୍ରର ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ହେଉଥିବାର ଜଣାଇଛନ୍ତି । ଓଡ଼ିଶାର ଅନ୍ୟ କୌଣସି ସ୍ଥାନରେ ଖୁବ ଅଳ୍ପ ବ୍ୟବଧାନରେ ଏପରି ବିଦ୍ୟାଳୟ ରହିଥିବା ପ୍ରଶ୍ନବାଚୀ ହୋଇଥିଲା ବେଳେ ଗୋପବନ୍ଧୁନଗର ବ୍ଲକ ଅଂଚଳ ମଧ୍ୟରେ ଏହା ଥିବାର ଶୁଣି ଅନେକ ଆଶ୍ଚର୍ଯ୍ୟ ହୋଇଛନ୍ତି । ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପୁଅ, ଝିଅଙ୍କୁ ଅଲଗା କରି ପାଠ ପଢ଼ାଇବା ଦ୍ୱାରା ପିଲାଙ୍କ ନିକଟରେ ଅଧ୍ୟବସାୟରେ ଯେଉଁ ପରିପକ୍ୱତା ଆସିବା କଥା ତାହା ଆସିପାରି ନଥାଏ ବୋଲି ବହୁ ଅବସରପ୍ରାପ୍ତ ଶିକ୍ଷକ/ଶିକ୍ଷୟିତ୍ରି ମାନେ ମତ ଦେଇଛନ୍ତି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଗବେଷକ କିଶୋରଚନ୍ଦ୍ର ଦାସବାବୁ, ସହଶିକ୍ଷାଦ୍ୱାରା ପିଲାଙ୍କ ମଧ୍ୟରେ ଲିଙ୍ଗଗତ ଶୃଙ୍ଖଳା, ନୈତିକତା ଓ ଚରିତ୍ର ନିର୍ମାଣ ସମ୍ଭବ ହୁଏ ଏବଂ ଆଜିର ସମାଜରେ ଦେଖାଦେଇଥିବା ଲିଙ୍ଗଗତ ବିଭେଦ ଓ ରକ୍ଷଣଶୀଳତା ମନୋଭାବ ଦୂର ହୁଏ ବୋଲି ପ୍ରକାଶ କରିଛନ୍ତି । ସେହିପରି ସ୍ୱେଛାସେବୀ ସଂଗଠନ ‘ଷ୍ଟାର’ର ନିର୍ଦ୍ଦେଶକ ପଦ୍ମଚରଣ ଦାଶ କହିଛନ୍ତି ଯେ ଆମ ଦେଶ ଏକ ଉନ୍ନତ ଦେଶ ଭାବରେ ପରିଗଣିତ ହେବାକୁ ଯାଉଥିବା ବେଳେ ଏପରି ଏକ ମାନସିକତା ଦୁଃଖଦାୟକ । ଏଥିପ୍ରତି ଆମେ ସଜାଗ ନରହିଲେ ଅନ୍ୟ ବିଦ୍ୟାଳୟ ମାନଙ୍କୁ ଏହି ପରମ୍ପରା ବ୍ୟାପିଯିବାର ସମ୍ଭାବନା ରହିଛି । ତାହାଛଡ଼ା ଆଜିକାଲି ପ୍ରାୟ ସବୁ କର୍ମକ୍ଷେତ୍ରରେ ପୁରୁଷ ଓ ମହିଳା ଏକାଠି କାମ କରୁଛନ୍ତି । ସହଶିକ୍ଷା ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଯେ କୌଣସି ପରିବେଶରେ ସହଜରେ କାମ କରିବା ପାଇଁ ପ୍ରସ୍ତୁତ କରିଥାଏ ବୋଲି ଜଣାଇଛନ୍ତି । ସାଇଁକୁଳା ଗ୍ରାମର ବାସିନ୍ଦା ଭଗବାନ ନାୟକ ତାଙ୍କର ମନ୍ତବ୍ୟରେ କହନ୍ତି ଯେ ପୁଅ, ଝିଅ ସମେସ୍ତ ସମାନ ଆମେ ମୁଖରେ କହୁଥିଲେ ମଧ୍ୟ ଆମ ବାସ୍ତବ ଦୃଷ୍ଟିଭଙ୍ଗୀ ତାହା ନୁହେଁ ଏଥିରୁ ବେଶ ସ୍ପଷ୍ଟ ବୁଝି ହେଉଛି । କପ୍ତିପଦା ଉପଖଣ୍ଡର ପ୍ରଥମ ଆଇ.ଏ.ଏସ୍. ଗୋପବନ୍ଧୁନଗର ଅଂଚଳର ବାସିନ୍ଦା ହୋଇଥିବା ବେଳେ ପୁର୍ବତନ ମନ୍ତ୍ରୀ ବୀରଭଦ୍ର ସିଂଙ୍କର ଏହା ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ । ଏପରି ଜ୍ଞାନୀଗୁଣୀ, ଉଚ୍ଚଶିକ୍ଷିତ ଲୋକଙ୍କର ଅଂଚଳରେ ଏପରି ଦୃଶ୍ୟ ଦେଖିବାକୁ ମିଳିବ ଏହା ଆଶା କରାଯାଇନଥିଲା ବୋଲି ଅନେକ ମତ ଦେଇଛନ୍ତି । ତେବେ ଗୋପବନ୍ଧୁ ନଗର ବି ଇ ଓ କୁଳମଣି ନାଏକ ବାଳିକା ବିଦ୍ୟାଳୟରେ ପ୍ରଯ୍ୟାପ୍ତ ସ୍ଥାନ ଅଭାବ ଯୋଗୁଁ ଓ ପାରିପାର୍ଶ୍ବିକ ପରିବେଶ ନେଇ ଵିଦ୍ୟାଳୟଟି ବାଳକ ପଢୁଥିବା ବିଦ୍ୟାଳୟରେ ହୋଇପାରିଲେ ଭଲ ହେବ ବୋଲି ମତ ଦେଇଛନ୍ତି । ରାଜ୍ୟ ସରକାର ଉକ୍ତ ଘଟଣାର ପଦକ୍ଷେପ ଗ୍ରହଣ ପୂର୍ବକ ତୁରନ୍ତ ସମାଧାନ ଅନୁରୋଧ ଜଣାଇଛନ୍ତି ।






