ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ପାଞ୍ଚପିଢ଼ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ଓ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ପ୍ରତିରୋଧ, ନିଷେଧ ଓ ପ୍ରତିକାର) ଆଇନ ବା ପୋଶ୍ ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇ.ସି.ସି.) ପକ୍ଷରୁ ଆହୂତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ପ୍ରଣତି ବାରିକ ସଭାପତିତ୍ୱ କରିଥିଲେ। ଏଥିରେ ପ୍ରଦାନ ସ୍ୱେଚ୍ଛାସେବୀ ସଂସ୍ଥାର ସମ୍ବଳ ବ୍ୟକ୍ତି ଭାବେ କାର୍ଯ୍ୟନିର୍ବାହୀ ଅନୁଷ୍କା ରାୟ ଓ ଗବେଷଣା କାର୍ଯ୍ୟନିର୍ବାହୀ ଆସ୍ଥା ଠାକୁର ଯୋଗଦେଇ ଯୌନ ଉତ୍ପୀଡ଼ନର ବିଭିନ୍ନ ଦିଗ, ଏହାର ପ୍ରତିରୋଧ ଏବଂ ପୋଶ୍ ଆଇନର ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ଛାତ୍ରୀ ଓ ଅଧ୍ୟାପିକାମାନଙ୍କୁ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକୃତି ମୁଖାର୍ଜୀ ଓ ମଧୁରିକା ଡିଏ ଯୋଗଦେଇଥିଲେ। ମହାବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟା ଅଧ୍ୟାପିକା ସେବତୀ ପୃଷ୍ଟି, ମିଲାମଣି ମହାନ୍ତ ଓ ଚିନ୍ମୟୀ ମହାନ୍ତଙ୍କ ସମେତ ଛାତ୍ରୀ ସଦସ୍ୟା ସୁବାସିନୀ ଦେହୁରୀ ଓ ବର୍ଷାରାଣୀ ମୁଣ୍ଡା ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସେବତୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।






