
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୬/୧୦/୨୬ – ରବିବାର ବାରିପଦାସ୍ଥ ଭଞ୍ଜପୁର ରେଳ ଷ୍ଟେସନ ନିକଟ (ଜମୁନାଦେଇପୁର) ରେ ଏକ ଭଢ଼ାଘରେ ରହୁଥିବା ଚାନ୍ଦମଣି ସୋରେନଙ୍କ ସାଢେ ଚାରି ବର୍ଷର ଝିଅ ମାହିମନ୍ଦିରା ସୋରେନ, (ଡାକନାମ ସିଦ୍ଧି) ସକାଳ ପ୍ରାୟ ୧୧ଟା ସମୟରେ ଘର ବାରଣ୍ଡାରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯିବା ଘଟଣା ଭାଇରାଲ ହୋଇଗଲା । ଖବର ଅନୁଯାୟୀ ରୋଷେଇ କରିବାକୁ ସିଦ୍ଧିର ମା’ ଚାନ୍ଦମଣି କିଛି ସମୟ ଭିତରକୁ ଯାଇଥିବା ତେବେ ବାହାରକୁ ଫେରିବା ବେଳକୁ ତାଙ୍କ ଝିଅକୁ ଖେଳୁଥିବା ଜାଗାରେ ଦେଖିବାକୁ ପାଇନଥିବା ବେଳେ ଘଟଣାସ୍ଥଳରେ କେବଳ ଶିଶୁଟିର ଚପଲ ପଡ଼ିଥିବା ଦେଖି ପରିବାର ଲୋକେ ଘର ପାଖାପାଖି ଅଞ୍ଚଳରେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ଶିଶୁଟିର କୌଣସି ସନ୍ଧାନ ମିଳି ନଥିଲା। ଶେଷରେ ଚାନ୍ଦମଣି ଭଞ୍ଜପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ସନ୍ଧାନ ପାଇ ପାରିନଥିଲା । ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଶିଶୁର ବାପା ସୁନୀଲ ସୋରେନ ମଧ୍ୟ ଫୋନ୍ ଯୋଗେ ପୁଲିସକୁ ନିବେଦନ କରିଥିଲେ । ସିଦ୍ଧିର ନିଖୋଜ ହେବା ଘଟଣାକୁ ଗୁରୁତ୍ଵର ସହ ନେଇ ଶିଶୁକନ୍ୟାକୁ ଖୋଜିବା ପାଇଁ ମୟୂରଭଞ୍ଜ ଏସପିଙ୍କ ଦ୍ଵାରା ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲେ । ତେବେ ୨୪ଘଣ୍ଟା ପରେ ଘର ଆଗରୁ ନିଖୋଜ ହୋଇଯାଇଥିବା ସାଢ଼େ ଚାରି ବର୍ଷର ଶିଶୁକନ୍ୟା ଦିନକ ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଖବର ଜଣାପଡିଛି । ଶିଶୁଟିକୁ ଘର ନିକଟରେ ଛାଡ଼ି ଯାଇଥିବା ବେଳେ ନିକଟ ଲୋକଙ୍କ ସୂଚନା ମତେ ଚିହ୍ନଟ ପୂର୍ବକ ମା’ ଚାନ୍ଦମଣି ତାକୁ ଘରକୁ ଆଣିଥିଲେ । ସିଦ୍ଧିକୁ ଛାଡି ଫେରାର ହେବାକୁ ଉଦ୍ୟମ କରୁଥିବା ଜଣେ ଅଜଣା ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି । ନିଖୋଜ ଘଟଣା ଓ ଉଦ୍ଧାର ଉଦ୍ୟମ ଖବର ଚାରିଆଡେ ବ୍ୟାପି ଥିବା ଜାଣି ହୁଏତ ପିଲାଟିକୁ ଛାଡି ଦେଇଥିବା ନେଇ ଚର୍ଚ୍ଚା ହେଉଥିବା ସମୟରେ ପୋଲିସ ଯୁବକଙ୍କୁ ନେଇ ତନାଘନା କରିବା ପରେ ପ୍ରକୃତ ଘଟଣା ଜଣାପଡିବ । ସିଦ୍ଧି ସୁସ୍ଥ ଅଛି ବୋଲି ଚାନ୍ଦମଣି ପ୍ରକାଶ କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।






