ପଞ୍ଚାନନ ବେହେରା /ଜିଲ୍ଲା ପ୍ରତିନିଧି /ବାଲେଶ୍ୱର/ସମୀକ୍ଷା ନ୍ୟୁଜ:
ବାଲେଶ୍ୱର, ତାରିଖ – ୨୭/୧୦/୨୦୨୬ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ଅଡିଟୋରିଅମ ହଲ୍ ଠାରେ ଦୁର୍ନୀତି ନିବାରଣ ପାଇଁ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଦେଶର ପ୍ରଗତି ପାଇଁ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ସୀତାଂଶୁ ଶେଖର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକ ଏବଂ ଡିଏସପି, ଭିଜିଲାନ୍ସ ଶ୍ରୀଯୁକ୍ତ ସିକନ୍ଦର ହେମ୍ବ୍ରମ ମଞ୍ଚାସୀନ ଥିଲେ । ଶ୍ରୀଯୁକ୍ତ ଖୁଣ୍ଟିଆ ଅଧିକାରୀ ତଥା କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ କାଳରେ ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ରକ୍ଷା, ଲାଞ୍ଚ ନ ନେବା ଓ ନ ଦେବା, ସ୍ୱଚ୍ଛତାର ସହ ଦାୟିତ୍ୱ ନିର୍ବାହ କରିବା ଏବଂ ଜନସାଧାରଣଙ୍କ ହିତ ସାଧନ ଲାଗି ସମର୍ପିତ ରହିବାକୁ ପ୍ରତିଜ୍ଞା କରାଯାଇଥିଲା। ଜିଲ୍ଲା ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପକ୍ଷରୁ ୨୬ ଅକ୍ଟୋବରରୁ ୦୧ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଭାବେ ପାଳନ କରାଯିବାକୁ ସ୍ଥିରୀକୃତ ହୋଇଛି । ଏହି ଅବସରରେ ଆଜି ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଆୟୋଜିତ ସାଧୁତାର ଶପଥ ପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରାଜ୍ୟର ସମସ୍ତ ଅଧିକାରୀଙ୍କୁ ଆଭାସୀ ମାଧ୍ୟମରେ ଦୁର୍ନୀତି ନିବାରଣର ଶପଥ ପାଠ କରାଇଥିଲେ । ଏହି ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୋୱାନ ହଲ୍ ଠାରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆଙ୍କ ସମେତ ଜିଲ୍ଲା ସ୍ତରର ଅନେକ ଅଧିକାରୀ ଉପସ୍ଥିତ ଥିଲେ ।






