ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:
ଚିକିଟି – ବାତ୍ୟା ଓ ବନ୍ୟା ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟ ରବିବାର ମଧ୍ୟ ଖୋଲା ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (CHC)ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରବିବାର ଦିନ ୧୨ଟା ସୁଦ୍ଧା ସ୍ୱାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱରେ ଥିବା କେତେକ ପ୍ରମୁଖ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ଅନୁଯାୟୀ, CHC ସୁପରଟେଣ୍ଡେଣ୍ଟ ଡା. ମନୋଜ ପାଢ଼ୀ, PHEO ବନବିହାରୀ ନାୟକ ଓ BPM ରାମଚନ୍ଦ୍ର ସାହୁ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ମାତ୍ର ଜଣେ ଡାକ୍ତରଙ୍କ ଭରସାରେ ରୋଗୀ ସେବା ଚାଲିଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, ଅନୁପସ୍ଥିତ ଅଧିକାରୀମାନଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନଥିବା ଅଭିଯୋଗ ହୋଇଛି। ବାତ୍ୟା ଓ ବନ୍ୟା ପରି ଜରୁରୀ ପରିସ୍ଥିତିରେ ସ୍ୱାସ୍ଥ୍ୟସେବାର ଗୁରୁତ୍ୱ ଅଧିକ ରହିଥିବାବେଳେ ଜିଲ୍ଲାପାଳଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ମଧ୍ୟ ଏଭଳି ସ୍ଥିତି କାହିଁକି ସୃଷ୍ଟି ହେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣାର ତଦନ୍ତ କରି ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।






