ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ଅଭିବୃଦ୍ଧି ସହ ଚାଷୀଙ୍କ ଆର୍ଥିକ ସମୃଦ୍ଧି ଓ ସ୍ୱାବଲମ୍ବୀକରଣ ଲକ୍ଷ୍ୟରେ କରଞ୍ଜିଆ ଏନଏସିସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ସରକାରୀ ଯୋଜନାଗୁଡ଼ିକୁ ଚାଷୀଙ୍କ ନିକଟରେ ପହଞ୍ଚାଇବା ସହ ଏହି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଉନ୍ନତ ପଦ୍ଧତିର ପ୍ରୟୋଗ ମାଧ୍ୟମରେ ଚାଷୀଙ୍କୁ ଅଧିକ ଲାଭବାନ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆୟୋଜନ କମିଟିର ଅଧ୍ୟକ୍ଷ ତଥା କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଭଦ୍ରା ମାରାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡଃ ଦୀପକ କୁମାର ମହାନ୍ତି ଓ ସାଂସଦଙ୍କ ପ୍ରତିନିଧି ଜ୍ୟୋସ୍ନାରାଣୀ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ବ୍ରଜବନ୍ଧୁ ବେହେରା ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରରେ ରହିଥିବା ସମ୍ଭାବନା ଏବଂ ଚାଷୀଙ୍କ ପାଇଁ ସରକାରୀ ଯୋଜନାର ଉପଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରାରମ୍ଭରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଶିଷ ଦାଶ ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଗୋଷ୍ଠୀ ମତ୍ସ୍ୟ ଅଧିକାରୀ ଲକ୍ଷ୍ମୀନାରାୟଣ ହେମ୍ବ୍ରମ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାଣୀସମ୍ପଦ ସମ୍ପ୍ରସାରଣ ପର୍ଯ୍ୟବେକ୍ଷକ ତଥା ସାହିତ୍ୟିକ ମିତ୍ରଭାନୁ ତନ୍ତୀ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥିମାନେ ପ୍ରଥମେ ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମ୍ପର୍କିତ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ପ୍ରଦର୍ଶିତ ସାମଗ୍ରୀ ଓ ଚାଷ ପଦ୍ଧତି ସମ୍ପର୍କରେ ଅବଗତ ହୋଇଥିଲେ। ମେଳାରେ ମତ୍ସ୍ୟ ଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୧୦ ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିମଧ୍ୟରୁ ମତ୍ସ୍ୟ ବିଭାଗ ପକ୍ଷରୁ ୫ ଜଣ ଏବଂ ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ୫ ଜଣ ଚାଷୀଙ୍କୁ ସମ୍ମାନିତ କରାଯିବା ସହ ସରକାରୀ ଯୋଜନା ଅନୁଯାୟୀ ସବସିଡି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ କରଞ୍ଜିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଆୟୋଜନ ଓ ପରିଚାଳନାରେ ଡାକ୍ତର ଇପ୍ସିତା ମଲ୍ଲିକ, ଡାକ୍ତର କଲ୍ୟାଣୀ ମାରାଣ୍ଡି, ଶିବାନୀ ମହାନ୍ତ ଓ ଅଙ୍କିତା ପଣ୍ଡା ସହଯୋଗ କରିଥିଲେ। ଶେଷରେ ଗୋଷ୍ଠୀ ମତ୍ସ୍ୟ ଅଧିକାରୀ ଲକ୍ଷ୍ମୀନାରାୟଣ ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ। ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଚାଷୀଙ୍କ ଆୟ ବୃଦ୍ଧି ଏବଂ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଦିଗରେ ଏଭଳି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତପ୍ରକାଶ ପାଇଥିଲା।





