ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
କରଞ୍ଜିଆ : ରାଜପଥ କଡ଼ରେ ରାତିରେ ବିଶ୍ରାମ ନେଉଥିବା ଟ୍ରକ୍ ଓ ଅନ୍ୟାନ୍ୟ ଯାନବାହନକୁ ଟାର୍ଗେଟ୍ କରି ଡିଜେଲ ଓ ପେଟ୍ରୋଲ ଚୋରି କରୁଥିବା ଏକ ଗୋଷ୍ଠୀକୁ ନେଇ ପୁଲିସର ତଦନ୍ତ ଜୋରଦାର ହୋଇଛି। ଏହି ଘଟଣାରେ କରଞ୍ଜିଆ ଥାନା ଅନ୍ତର୍ଗତ ଚଢ଼େଇଭୋଳ ରିଲାଏନ୍ସ ଢାବା ନିକଟରୁ ଦୁଇଜଣଙ୍କୁ ପୁଲିସ ଅଟକ ରଖିଥିବା ବେଳେ ସେମାନଙ୍କ ନିକଟରୁ ଡିଜେଲ ଭର୍ତ୍ତି ଦୁଇଟି ପ୍ଲାଷ୍ଟିକ୍ ଜାରକିନ୍ ଏବଂ ଚୋରି କାର୍ଯ୍ୟରେ ବ୍ୟବହୃତ ହେଉଥିବା ସନ୍ଦେହରେ କିଛି ଉପକରଣ ଜବତ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୧୫ ତାରିଖରେ ଚଢ଼େଇଭୋଳ ଅଞ୍ଚଳରେ ବିଳମ୍ବିତ ରାତିରେ ଟ୍ରକ୍, କାର୍ ଓ ଅନ୍ୟାନ୍ୟ ଯାନବାହନରୁ ଡିଜେଲ ଏବଂ ପେଟ୍ରୋଲ ଚୋରି ହେଉଥିବା ନେଇ ସୂଚନା ମିଳିଥିଲା। ଏନେଇ ଚଢ଼େଇଭୋଳ ଫାଣ୍ଡି ଷ୍ଟେସନ ଡାଏରୀରେ ଏଣ୍ଟ୍ରି ନଂ-୦୩ ଅନ୍ତର୍ଗତ ରେକର୍ଡ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

ତଦନ୍ତ ସମୟରେ ଚଢ଼େଇଭୋଳ ଅଞ୍ଚଳର କିଛି ବ୍ୟକ୍ତି ଏକ ଗୋଷ୍ଠୀ ଗଠନ କରି ସିଙ୍ଗଡ଼ାରୁ ଖିରେଇଟାଙ୍ଗିରି ଟୋଲ୍ ପ୍ଲାଜା ମଧ୍ୟବର୍ତ୍ତୀ ରାସ୍ତାରେ ଥିବା ଢାବା, ହୋଟେଲ ଓ ରାସ୍ତାକଡ଼ରେ ରହୁଥିବା ଟ୍ରକ୍ଗୁଡ଼ିକରୁ ନିୟମିତ ଭାବେ ତେଲ ଚୋରି କରୁଥିବା ନେଇ ସୂଚନା ମିଳିଥିବା ପୁଲିସ ରିପୋର୍ଟରେ ଦର୍ଶାଯାଇଛି। ଏହି ଗୋଷ୍ଠୀରେ ମହମ୍ମଦ ରଜିବ୍, ଏମ୍.ଡି. ଫିରୋଜ, ସେକ୍ ସାହାନୱାଜ, ଆଦିଲ ହୁସେନ, ବାବୁଲି ଓ ପଲାଉଙ୍କ ସମେତ ଅନ୍ୟ କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ଅଭିଯୋଗ ଅନୁସାରେ, ଚୋରି ହେଉଥିବା ତେଲକୁ ସଂଗ୍ରହ କରି ବିଭିନ୍ନ ଅଞ୍ଚଳରେ ବିକ୍ରି କରାଯାଉଥିଲା। ଏପରିକି ଅତ୍ୟନ୍ତ ଜ୍ୱଳନଶୀଳ ଡିଜେଲ ଓ ପେଟ୍ରୋଲକୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବିନା ସଂରକ୍ଷଣ ଓ କାରବାର କରାଯାଉଥିବା ମଧ୍ୟ ପୁଲିସ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଗୋଷ୍ଠୀର କେତେକ ସଦସ୍ୟ ପୂର୍ବରୁ କରଞ୍ଜିଆ ଥାନା କେସ୍ ନଂ-୩୬୦/୨୫ ଓ ୨୭/୨୬ରେ ଅଭିଯୁକ୍ତ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଗତ ୧୬ ତାରିଖ ରାତି ପ୍ରାୟ ୮ଟା ସମୟରେ ଚଢ଼େଇଭୋଳ ରିଲାଏନ୍ସ ଢାବା ନିକଟରେ ସମ୍ପୃକ୍ତ ଗୋଷ୍ଠୀର କେତେକ ସଦସ୍ୟ ଏକତ୍ରିତ ହୋଇଥିବା ନେଇ ଫାଣ୍ଡି ଅଧିକାରୀ ରଘୁନାଥ ଦେହୁରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ। ଏହାପରେ ସେ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ପୁଲିସକୁ ଦେଖି କେତେକ ବ୍ୟକ୍ତି ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ। ତେବେ ପୁଲିସ ଦୁଇଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା।

ଅଟକ ଦୁଇଜଣ ହେଲେ ଚଢ଼େଇଭୋଳ ଗ୍ରାମର ମହମ୍ମଦ ରଜିବ୍ ଓ ଏମ୍.ଡି. ଫିରୋଜ। ପୁଲିସର ପଚରାଉଚରା ସମୟରେ ସେମାନେ ସେଠାରେ କେଉଁ ଉଦ୍ଦେଶ୍ୟରେ ଏକତ୍ରିତ ହୋଇଥିଲେ ତାହାର ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ପୋଲିସ ପକ୍ଷରୁ ଦର୍ଶାଯାଇଛି। ସେମାନଙ୍କ ନିକଟରୁ ଡିଜେଲ ଭର୍ତ୍ତି ଦୁଇଟି ପ୍ଲାଷ୍ଟିକ୍ ଜାରକିନ୍ ସହ ଏକ ବ୍ୟାଗ୍ରେ ରଖାଯାଇଥିବା ପ୍ଲାସ୍, ସ୍କ୍ରୁଡ୍ରାଇଭର, ହାତୁଡ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସାକ୍ଷୀମାନଙ୍କ ଉପସ୍ଥିତିରେ ଜବତ ତାଲିକା ପ୍ରସ୍ତୁତ କରିବା ପରେ ଦୁଇ ଅଟକ ବ୍ୟକ୍ତିଙ୍କୁ ଜବତ ସାମଗ୍ରୀ ସହ କରଞ୍ଜିଆ ଥାନାକୁ ନିଆଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଅନ୍ୟ ଫେରାର ବ୍ୟକ୍ତିମାନଙ୍କ ସମ୍ପୃକ୍ତି, ଚୋରି ତେଲର ଉତ୍ସ ଓ ଏହାର କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ରାଜପଥରେ ରାତ୍ରିକାଳୀନ ଯାନବାହନ ସୁରକ୍ଷା ଓ ତେଲ ଚୋରି ରାକେଟ୍ର ପର୍ଦ୍ଦାଫାସ୍ ଦିଗରେ ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି ।





