ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ: ତା: ୨୩/୧୧/୨୬
ପାରାଦ୍ୱୀପଗଡ଼ ଗ୍ରାମପଞ୍ଚାୟତରେ ଆଜି ଆୟୋଜିତ ହୋଇଯାଇଛି ଏକ ଭତ୍ତା ମେଳା। ବିଭିନ୍ନ କାରଣରୁ ଦୀର୍ଘଦିନ ଧରି ନିଜର ଭତ୍ତା ପାଇବାରୁ ବଞ୍ଚିତ ହୋଇ ଆସୁଥିବା ଅନେକ ହିତାଧିକାରୀଙ୍କ ପାଇଁ ଏହି ମେଳା ଆଶ୍ୱସ୍ତି ଆଣିଦେଇଛି। ନିଜର ନ୍ୟାଯ୍ୟ ଅଧିକାର ପାଇବା ପାଇଁ ହିତାଧିକାରୀମାନେ ବିଭିନ୍ନ ସ୍ଥାନକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ନିଜ ଗ୍ରାମର ସରପଞ୍ଚ ସସ୍ମିତା ବେହେରାଙ୍କୁ ଭେଟି ନିଜର ସମସ୍ୟା ଜଣାଇଥିଲେ। ଏହାକୁ ଗୁରୁତ୍ୱର ସହ ନେଇ ସରପଞ୍ଚ ଏବଂ ତାଙ୍କ ପ୍ରତିନିଧି ସଞ୍ଜୟ କୁମାର ବେହେରାଙ୍କ ନେତୃତ୍ୱରେ ଶିବ ପ୍ରସାଦ ଚୌଧୁରୀ, ଜୟନ୍ତ ସେନାପତି, ଚନ୍ଦ୍ରକାନ୍ତ ସ୍ୱାଇଁ, ମନୋଜ ରାଉତ, ରାଜେନ୍ଦ୍ର ବେହେରା, ସଂଗ୍ରାମ ବେହେରା, ଅନନ୍ତ ବିଶ୍ୱାଳ, ଅଲେଖ ମହାରଥା ଓ ପ୍ରଭାତ ସାହୁ ପ୍ରମୁଖ ଦିନରାତି ଏକ କରି ହିତାଧିକାରୀମାନଙ୍କ ସମସ୍ୟାର ସମାଧାନ ଦିଗରେ ଉଦ୍ୟମ କରିଥିଲେ। ଏହାର ଫଳସ୍ୱରୂପ ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭତ୍ତା ମେଳା ଆୟୋଜନ କରାଯାଇ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଏଥିସହ ଯେଉଁ ହିତାଧିକାରୀମାନଙ୍କର ଭତ୍ତା ପ୍ରକ୍ରିୟା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ସେମାନଙ୍କୁ ମଧ୍ୟ ଖୁବ୍ଶୀଘ୍ର ଭତ୍ତା ଯୋଗାଇ ଦିଆଯିବ ବୋଲି ସରପଞ୍ଚଙ୍କ ପ୍ରତିନିଧି ସଞ୍ଜୟ କୁମାର ବେହେରା ପ୍ରକାଶ କରିଛନ୍ତି। ଦୀର୍ଘଦିନର ଅପେକ୍ଷା ପରେ ଭତ୍ତା ପାଇ ହିତାଧିକାରୀମାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି।






