ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ନୂଆଗାଁ, 27/10: ପାଞ୍ଚଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ବେଳେ ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଥିବା ବର୍ଷା ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି। ଗ୍ରାମରେ ପାଇପ୍ ଯୋଗେ ପାଣି ଆସୁନଥିବାରୁ ଲୋକେ ଖୋଲା କୂଅ ଉପରେ ନିର୍ଭର କରୁଥିଲେ। ମାତ୍ର ବର୍ଷା ଯୋଗୁଁ କୂଅର ପାଣି ଗୋଳିଆ ହୋଇଯାଇଥିବାରୁ ଏବେ ପିଇବା ପାଣି ସଂଗ୍ରହ କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି। ଏଭଳି ଜଳ ସଙ୍କଟ ଦେଖାଦେଇଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡ଼ାଝୋଲା ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଅଞ୍ଚଳରେ। ଏଠାରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ୮ଟି ସାହିର ୩ ହଜାରରୁ ଊର୍ଦ୍ଧ୍ୱ ଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସୂଚନା ଅନୁଯାୟୀ, ମାଣିକପାଟଣା ଫରେଷ୍ଟ ବିଟ୍ ନିକଟରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଆଖପାଖର ଆଠଟି ସାହିକୁ ପାଣି ଯୋଗାଇ ଦିଆଯାଉଥିଲା। ଏହି ପ୍ରକଳ୍ପ ଉପରେ ଅଞ୍ଚଳର ତିନି ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ହେଲେ ଗତ ପାଞ୍ଚଦିନ ହେବ ପମ୍ପହାଉସ୍ ଅଚଳ ହୋଇପଡ଼ିଥିବାରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ରୋଷେଇ, ପିଇବା ପାଣି ଓ ଅନ୍ୟାନ୍ୟ ଦୈନନ୍ଦିନ କାର୍ଯ୍ୟ ପାଇଁ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି। ବିଶେଷକରି ବାତ୍ୟା ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଛି।

ଏପର୍ଯ୍ୟନ୍ତ ଖୋଲା କୂଅରୁ ପାଣି ସଂଗ୍ରହ କରି ନିଜର ଆବଶ୍ୟକତା ପୂରଣ କରୁଥିବା ଲୋକେ ଏବେ ଗୋଳିଆ ପାଣି ଯୋଗୁଁ ଚିନ୍ତାରେ ପଡ଼ିଛନ୍ତି। ବର୍ଷାଜଳ ସହ ମାଟି ଓ ଅନ୍ୟାନ୍ୟ ଅପଦ୍ରବ୍ୟ କୂଅରେ ପ୍ରବେଶ କରିଥିବା ଆଶଙ୍କା ରହିଛି। ଏଭଳି ପାଣିର ଗୁଣବତ୍ତା ପରୀକ୍ଷା ନକରି ପାନୀୟ ବ୍ୟବହାର କରିବା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଦୂଷିତ ପାଣି ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ସମେତ ବିଭିନ୍ନ ଜଳବାହିତ ରୋଗ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଅନ୍ୟପକ୍ଷରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ପୂର୍ବରୁ ମଧ୍ୟ ଅନେକ ତ୍ରୁଟି ରହିଛି। କେଉଁଠି ପାଣି ଟ୍ୟାପ୍ ନାହିଁ ତ ଆଉ କେଉଁଠି ପାଇପ୍ ଫାଟିଯାଇଛି। ଏହାର ଉପଯୁକ୍ତ ମରାମତି ଓ ରକ୍ଷଣାବେକ୍ଷଣ ହେଉନଥିବା ଅଭିଯୋଗ ହେଉଛି। ଏହା ମଧ୍ୟରେ ମୋଟର ଖରାପ ହୋଇଯିବାରୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ବ୍ୟବସ୍ଥା ଠପ୍ ହୋଇପଡ଼ିଛି। ଏ ସମ୍ପର୍କରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପରିଚାଳନା କରୁଥିବା କର୍ମଚାରୀଙ୍କ ପ୍ରତିକ୍ରିୟା ନିଆଯିବାରୁ ପମ୍ପହାଉସ୍ର ମୋଟର ପୋଡ଼ିଯାଇଥିବା ସେ କହିଛନ୍ତି। ମାତ୍ର ମୋଟର ମରାମତି କିମ୍ବା ପରିବର୍ତ୍ତନ କରି ଜଳ ଯୋଗାଣ କେବେ ସ୍ୱାଭାବିକ କରାଯିବ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ପାଞ୍ଚଦିନ ଧରି ଏତେ ସଂଖ୍ୟକ ଲୋକ ପାଣି ପାଇଁ ହନ୍ତସନ୍ତ ହେଉଥିଲେ ମଧ୍ୟ ସମସ୍ୟାର ସମାଧାନରେ ବିଳମ୍ବକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ଜଳ ଯୋଗାଣ ପ୍ରକଳ୍ପର ନିୟମିତ ତଦାରଖ ଓ ରକ୍ଷଣାବେକ୍ଷଣ ଅଭାବରୁ ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ବିଶେଷକରି ବର୍ଷା ଓ ବାତ୍ୟା ଭଳି ପ୍ରତିକୂଳ ପାଗ ସମୟରେ ପାନୀୟ ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାକୁ ସଚଳ ରଖିବା ଦିଗରେ ବିଭାଗ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବର୍ତ୍ତମାନ ଗୋଟିଏ ପଟେ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ବେଳେ ଅନ୍ୟପଟେ ବର୍ଷା ଯୋଗୁଁ ଖୋଲା କୂଅର ପାଣି ଗୋଳିଆ ହୋଇଯିବା ଲୋକଙ୍କ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଏଭଳି ପରିସ୍ଥିତିରେ ତୁରନ୍ତ ବିକଳ୍ପ ପାନୀୟ ଜଳ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆହୁରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏଣୁ ଜିଲ୍ଲା ପ୍ରଶାସନ, ପଞ୍ଚାୟତ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ପାନୀୟ ଜଳ ଯୋଗାଣ ବିଭାଗ ତୁରନ୍ତ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ପୋଡ଼ିଯାଇଥିବା ମୋଟର ମରାମତି କିମ୍ବା ନୂତନ ମୋଟର ସ୍ଥାପନ କରି ଜଳ ଯୋଗାଣ ସ୍ୱାଭାବିକ କରିବା ସହ ଭଙ୍ଗା ପାଇପ୍ ଓ ଅଚଳ ଟ୍ୟାପ୍ଗୁଡ଼ିକୁ ସଜାଡ଼ିବା ପାଇଁ ଦାବି କରାଯାଇଛି। ଏଥିସହ ପ୍ରକଳ୍ପ ସଚଳ ନହେବା ପର୍ଯ୍ୟନ୍ତ ପ୍ରଭାବିତ ଆଠଟି ସାହିରେ ଟ୍ୟାଙ୍କର କିମ୍ବା ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସହ ଖୋଲା କୂଅର ପାଣିର ଗୁଣବତ୍ତା ଯାଞ୍ଚ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।






