ଯୋଡ଼ା/କେନ୍ଦୁଝର, ୨୯/୧୦: କେନ୍ଦୁଝର ଜିଲ୍ଲାର ଚମକପୁର ଗ୍ରାମପଞ୍ଚାୟତର ନାମ ପରିବର୍ତ୍ତନ କରି ଶଙ୍କରପୁର ଗ୍ରାମପଞ୍ଚାୟତ କରାଯାଇଥିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତବାସୀଙ୍କୁ ପୂର୍ବରୁ ଅବଗତ ନକରିବା ଏବଂ ସେମାନଙ୍କ ମତାମତ ନିଆନଯିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଗୁରୁବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଉପସ୍ଥାପନ କରି ପଞ୍ଚାୟତର ନାମ ପରିବର୍ତ୍ତନ ପ୍ରକ୍ରିୟାର ସମୀକ୍ଷା କରିବା ସହ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଚମକପୁର ଗ୍ରାମପଞ୍ଚାୟତର ଅନେକ ପରିବାର କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ସହ ଜଡ଼ିତ ବିସ୍ଥାପନ ଓ ପୁନର୍ବାସ ସମସ୍ୟାର ସମ୍ମୁଖୀନ ହୋଇଆସୁଛନ୍ତି। ଏଭଳି ସ୍ଥିତିରେ ପଞ୍ଚାୟତର ନାମ ପରିବର୍ତ୍ତନ ହେଲେ ସରକାରୀ ଦସ୍ତାବିଜ, ଠିକଣା ଓ ଅନ୍ୟାନ୍ୟ ରେକର୍ଡରେ ଅସଙ୍ଗତି ସୃଷ୍ଟି ହେବା ସହ ବିସ୍ଥାପିତ ପରିବାରଙ୍କ ସହାୟତା ରାଶି ମଞ୍ଜୁରୀ, ବଣ୍ଟନ ଏବଂ ପୁନର୍ବାସ ପ୍ରକ୍ରିୟାରେ ବିଳମ୍ବ ହେବାର ଆଶଙ୍କା ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି।ଏଥିସହ କୌଣସି ବିସ୍ଥାପିତ ପରିବାର ଯେପରି ନିଜର ଆଇନସମ୍ମତ ପ୍ରାପ୍ୟ, ଅନୁମୋଦିତ ସହାୟତା ରାଶି ଓ ପୁନର୍ବାସ ସୁବିଧାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବାକୁ ଦାବି ହୋଇଛି। ଏହି ପ୍ରସଙ୍ଗକୁ ନେଇ ବୁଧବାର ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଆୟୋଜିତ ହୋଇଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମପଞ୍ଚାୟତ ର ନାମ ପରିବର୍ତ୍ତନ କେବଳ ଏକ ପ୍ରଶାସନିକ ନିଷ୍ପତ୍ତି ନୁହେଁ; ଏହା ସ୍ଥାନୀୟ ବିକାଶ, ସରକାରୀ ଯୋଜନାର ସୁଫଳ ଏବଂ ସାଧାରଣ ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ସହ ଜଡ଼ିତ। ତେଣୁ ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ସ୍ଥାନୀୟ ଲୋକଙ୍କ ମତାମତ ଓ ଆପତ୍ତିକୁ ବିଚାରକୁ ନେବା ଆବଶ୍ୟକ।
ଏହି ପରିପ୍ରେକ୍ଷୀରେ ପଞ୍ଚାୟତର ନାମ ପରିବର୍ତ୍ତନ ସମ୍ପର୍କିତ ସରକାରୀ ଆଦେଶ, ନିୟମ ଓ ଅନୁସରଣ କରାଯାଇଥିବା ପ୍ରକ୍ରିୟାର ନିରପେକ୍ଷ ଯାଞ୍ଚ କରିବା ସହ ଗ୍ରାମବାସୀଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି। ଅଭିଯୋଗର ସମାଧାନ ନହେବା ପର୍ଯ୍ୟନ୍ତ ନାମ ପରିବର୍ତ୍ତନ ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଗ୍ରାମବାସୀ ସ୍ପଷ୍ଟ କରିଛନ୍ତି ଯେ ସେମାନେ ବିକାଶ କିମ୍ବା ପ୍ରଶାସନିକ କାର୍ଯ୍ୟର ବିରୋଧୀ ନୁହନ୍ତି। ତେବେ ନାମ ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକଙ୍କ ଅଧିକାର ଓ ବିସ୍ଥାପିତ ପରିବାରଙ୍କ ନ୍ୟାୟସଙ୍ଗତ ପ୍ରାପ୍ୟ ଯେପରି ପ୍ରଭାବିତ ନହୁଏ, ତାହା ସୁନିଶ୍ଚିତ କରିବା ଜରୁରୀ ବୋଲି ସେମାନେ ମତ ଦେଇଛନ୍ତି। ଏବେ ଜିଲ୍ଲା ପ୍ରଶାସନ ଏହି ଅଭିଯୋଗ ଉପରେ କି ପଦକ୍ଷେପ ଗ୍ରହଣ କରୁଛି, ତାହାକୁ ଅପେକ୍ଷା କରିଛନ୍ତି ପଞ୍ଚାୟତବାସୀ।






