ଜିତେନ୍ଦ୍ର କୁମାର ସାହୁ /ନୟାଗଡ /ସମୀକ୍ଷା ନ୍ୟୁଜ :
ରଣପୁର, ୨୩/୧୦( ସମୀକ୍ଷା) : ଶ୍ରମିକ, କୃଷକ, ମହିଳା, ଛାତ୍ର ଓ ଯୁବକ ଗଣ ସଂଗଠନ ଗୁଡ଼ିକର ସର୍ବ ଭାରତୀୟ ମଞ୍ଚ ତରଫରୁ ” ଆମ ଭୋଟ ଆମ ଅଧିକାର ଓ ଆମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ” ଡାକରାରେ ଆଜି ଦେଶ ବ୍ୟାପୀ ଗଣ ବିକ୍ଷୋଭ ପ୍ରତିବାଦ ଶୁକ୍ର ବାର ଦିନ ୧୧ ଘଟିକା ସମୟରେ ରଣପୁର ପଞ୍ଚୁଦୋଳ ପଡିଆ ଶହୀଦ ମଣ୍ଡପ ଠାରେ ସଂଗଠିତ ହୋଇ ଯାଇଛି । ଶ୍ରମିକ ନେତା ସୁରେଶ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ଓଡିଶା ରାଜ୍ୟର ବିଶିଷ୍ଟ ବାମପନ୍ଥୀ ନେତା ତଥା ସିଟୁର ରାଜ୍ୟ ସଭାପତି ଜନାର୍ଦ୍ଦନ ପତି କେନ୍ଦ୍ର ବିଜେପି ସରକାରର ସମ୍ବିଧାନ ଓ ଦେଶ ବିରୋଧି ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସେହିଭଳି କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସମ୍ପାଦକ ନିତ୍ୟାନନ୍ଦ ପରିଡ଼ା, ଜିଲ୍ଲା ସମ୍ପାଦକ ଧୁଶାସନ ଜେନା, କୃଷକ ସଭାର ଜିଲ୍ଲା ନେତା ଗଦାଧର ପ୍ରଧାନ, ମହିଳା ସମିତି ନେତ୍ରୀ ସଂଯୁକ୍ତା ସେଠୀ, ଯୁବ ନେତା ବିରଞ୍ଚି ପ୍ରଧାନ,ଶ୍ରମିକ ନେତା ସୁଶୀଲ ମହାନ୍ତି, କୁଳମଣି ପଲେଇ, ସଞ୍ଜୁଲତା ପରିଡ଼ା ପ୍ରମ୍ମୁଖ ବକ୍ତବ୍ୟ ଦେଇ ନିର୍ବାଚନ ପ୍ରକ୍ରିୟାକୁ ସ୍ୱାୟତ ଓ ସ୍ଵଛ କରିବା ପାଇଁ ଭୋଟ ବିରୋଧି ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ସମ୍ପୂର୍ଣ୍ଣ ବାତିଲ ସହ ପୂର୍ବ ଭୋଟର ତାଲିକା କାଏମ ରଖିବା, ଭୋଟ ଚୋର ଜ୍ଞାନେଶ କୁମାରଙ୍କ ଇସ୍ତଫା,ବର୍ତ୍ତମାନର ନିର୍ବାଚନ କମିଶନଙ୍କ ନିଯୁକ୍ତି ପ୍ରକ୍ରିୟା ବାତିଲ କରି ପୂର୍ବର ନିଯୁକ୍ତି ପ୍ରକ୍ରିୟାକୁ ଲାଗୁ କରିବା ଏବଂ ବ୍ୟାପକ ନିର୍ବାଚନ ସଂସ୍କାର ସହ କଟିଥିବା ଭୋଟରଙ୍କୁ ଯୋଗ କରିବା ସହ ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରତିନିଧିଙ୍କ ନିର୍ବାଚନ ପାଣ୍ଠି ସରକାର ବହନ କରିବା ଆଦି ଦାବୀକୁ ସରକାର କାର୍ଯ୍ୟକାରୀ କରିବା ପାଇଁ ବକ୍ତା ମାନେ ଦାବୀ କରିଥିଲେ। ଏଥିପାଇଁ ନଭେମ୍ବର ଏକ ତାରିଖରେ ଇଣ୍ଡିଆ ମେଣ୍ଟ ତରଫରୁ ଦିଲ୍ଲୀର ରାମ ଲୀଳା ମୈଦାନରେ ଅନୁଷ୍ଠିତ ସମାବେଶରେ ଯୋଗ ଦେବାକୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ। ଭୋଟ ଚୋର ଗାଦି ଛାଡ଼ ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତ୍ତର ହେବ ବୋଲି ମିଳିତ ମଞ୍ଚ ତରଫରୁ ଚେତାବନି ଦିଆଯାଇଥିଲା।






