ପଞ୍ଚାନନ ବେହେରା /ଜିଲ୍ଲା ପ୍ରତିନିଧି /ବାଲେଶ୍ୱର/ସମୀକ୍ଷା ନ୍ୟୁଜ:
ବାଲେଶ୍ୱର, ୨୮ ଅକ୍ଟୋବର ୨୦୨୬ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ଆଜି ସକାଳ ୭ଟା ସମୟରେ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ଏକ ମାରାଥନ୍ ରାଲି ଆୟୋଜିତ ହୋଇଥିଲା। ଏହି ରାଲି ପବ୍ଲିକ ସ୍କୁଲ ଠାରେ ଆରମ୍ଭ ହୋଇ ଷ୍ଟେସନ ଛକ, ଏଫ୍ଏମ୍ ଗୋଲେଇ, ଫାଣ୍ଡି ଛକ ଦେଇ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାଲି ମାଧ୍ୟମରେ ଦୁର୍ନୀତି ବିରୋଧରେ ଜନସଚେତନତା ସୃଷ୍ଟି କରିବା ସହ ସମାଜରେ ସ୍ୱଚ୍ଛତା, ସଚ୍ଚୋଟତା ଓ ନୈତିକତାର ମୂଲ୍ୟବୋଧକୁ ପ୍ରସାର କରିବାର ବାର୍ତ୍ତା ଦିଆଯାଇଥିଲା। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ନାୟକ, ଭିଜିଲାନ୍ସ ଡିଏସପି ଶ୍ରୀଯୁକ୍ତ ସିକନ୍ଦର ହେମ୍ବ୍ରମ, ଭିଜିଲାନ୍ସ ଇନ୍ସପେକ୍ଟର ଶ୍ରୀଯୁକ୍ତ ନବ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ । ତାଙ୍କ ସହିତ ବାଲେଶ୍ୱର ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି।






