ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୪/୧୧/୨୬ -ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ପଞ୍ଚାୟତର କାକୁଡ଼ିରୁମା ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲେ ମଧ୍ୟ ଏଯାଏଁ ପ୍ରଶାସନିକ ସ୍ତରରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ, କାକୁଡ଼ିରୁମା ନଦୀ ଉପରେ ଥିବା ପୋଲର ଅବସ୍ଥା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ପୋଲର ଉଭୟ ପାର୍ଶ୍ୱରୁ ମାଟି ଧୋଇ ହୋଇଯାଇଥିବାରୁ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି । ବିଶେଷକରି ବର୍ଷା ଋତୁରେ ଏହି ସମସ୍ୟା ଅଧିକ ଗମ୍ଭୀର ରୂପ ଧାରଣ କରୁଛି । ଏହାଦ୍ୱାରା ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା, ରୋଗୀ ଓ ସାଧାରଣ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଯାନବାହନ ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହେଉଛି । ଫଳରେ ଅଞ୍ଚଳବାସୀଙ୍କ ଜୀବନ ଓ ସୁରକ୍ଷା ପ୍ରତି ବିପଦ ଦେଖାଦେଇଛି । ଏହି ସମସ୍ୟାର ସମାଧାନ ପାଇଁ ଗତ ମାସରେ ରାଇରଙ୍ଗପୁରଠାରେ ଆୟୋଜିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗ୍ରାମବାସୀମାନେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏଥିରେ ନଦୀ ଉପରେ ଏକ ମଜବୁତ ଓ ସ୍ଥାୟୀ ପୋଲ ନିର୍ମାଣ, କ୍ଷତିଗ୍ରସ୍ତ ପୋଲର ମରାମତି ଏବଂ ସଂଯୋଗକାରୀ ରାସ୍ତାର ଉନ୍ନତିକରଣ ପାଇଁ ଦାବି ଜଣାଇଥିଲେ । କିନ୍ତୁ ଅଭିଯୋଗ ଦାଖଲ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀ ନିରାଶ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି । ଜନଶୁଣାଣି ଶିବିରରେ ଅଭିଯୋଗ ଶୁଣାଯାଉଥିବା ସତ୍ତ୍ୱେ ଯଦି ତାହାର ସମାଧାନ ନହୁଏ, ତେବେ ସାଧାରଣ ଲୋକଙ୍କ ସମସ୍ୟା କେବେ ସମାଧାନ ହେବ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି ।





