ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୪/୧୧/୨୬ – ମୟୂରଭଞ୍ଜ ଜିଲ୍ଲାର ଉଚ୍ଚଶିକ୍ଷା ବ୍ୟବସ୍ଥାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା ) ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ୪ ଦଫା ଦାବି ଉପସ୍ଥାପନ କରାଯାଇଥିବା ଜଣାପଡିଛି । ଏନେଇ ବାମନଘାଟି ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ୧୯୬୩ ମସିହାରେ ପ୍ରତିଷ୍ଠିତ ରାଇରଙ୍ଗପୁର ମହାବିଦ୍ୟାଳୟ ଦୀର୍ଘ ୬୩ ବର୍ଷ ଧରି ଅଞ୍ଚଳର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିଆସୁଛି । ତେବେ ଏତେ ପୁରାତନ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୂର୍ଣ୍ଣ ସରକାରୀ ମାନ୍ୟତା ନମିଳିବା ଦୁଃଖର ବିଷୟ ବୋଲି ସଂଗଠନ ପ୍ରକାଶ କରିଛି । ସେହିପରି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ ଚାଲୁଥିବା ସେଲ୍ଫ ଫାଇନାନ୍ସ ବିଭାଗଗୁଡ଼ିକୁ ସରକାରୀକରଣରେ ସାମିଲ କରିବାକୁ ଦାବି ହୋଇଛି । ଏହାଦ୍ୱାରା ଗରିବ, ଆଦିବାସୀ ଓ ଆର୍ଥିକ ଅନଗ୍ରସର ପରିବାରର ଛାତ୍ରଛାତ୍ରୀମାନେ କମ୍ ଖର୍ଚ୍ଚରେ ଉଚ୍ଚଶିକ୍ଷା ଲାଭ କରିପାରିବେ ବୋଲି ମାସା ସଂଗଠନ ମତ ପ୍ରକାଶ କରିଛି । ଏଥିସହ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ଖୋଲିବାକୁ ଦାବି କରାଯାଇଛି । ଏହାଦ୍ୱାରା ଆଦିବାସୀ ଛାତ୍ରଛାତ୍ରୀ ନିଜ ମାତୃଭାଷାରେ ଉଚ୍ଚଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ ଏବଂ ଭାଷା ଓ ସଂସ୍କୃତିର ସୁରକ୍ଷା ହୋଇପାରିବ ।

ଅନ୍ୟପକ୍ଷରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ୨୦୨୭-୨୮ ଶିକ୍ଷାବର୍ଷରୁ ଆବଶ୍ୟକୀୟ ବିଭାଗରେ ସ୍ନାତକୋତ୍ତର (ପିଜି ) ପାଠ୍ୟକ୍ରମ ଆରମ୍ଭ କରିବାକୁ ସଂଗଠନ ଦାବି ରଖିଛି । ବର୍ତ୍ତମାନ ଉଚ୍ଚଶିକ୍ଷା ପାଇଁ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପ୍ରାୟ ୧୦୦ କିଲୋମିଟର କିମ୍ବା ତାଠାରୁ ଅଧିକ ଦୂରକୁ ଯିବାକୁ ପଡ଼ୁଥିବାରୁ ଅନେକ ଗରିବ ଛାତ୍ରଛାତ୍ରୀ ଆର୍ଥିକ ଅସୁବିଧା ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ମାସା ସଂଗଠନ ପକ୍ଷରୁ ରଖାଯାଇଥିବା ମୁଖ୍ୟ ୪ଟି ଦାବି ହେଲା, ରାଇରଙ୍ଗପୁର ମହାବିଦ୍ୟାଳୟକୁ ପୂର୍ଣ୍ଣ ସରକାରୀ ମାନ୍ୟତା, ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ସେଲ୍ଫ ଫାଇନାନ୍ସ ବିଭାଗର ସରକାରୀକରଣ, ସମସ୍ତ ମହାବିଦ୍ୟାଳୟରେ ସାନ୍ତାଳୀ ଅନର୍ସ ଖୋଲିବା ଏବଂ ୨୦୨୭-୨୮ ଶିକ୍ଷାବର୍ଷରୁ ରାଇରଙ୍ଗପୁର ମହାବିଦ୍ୟାଳୟରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା । ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଏଠାକାର ଉଚ୍ଚଶିକ୍ଷାର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ସଂଗଠନ ଦାବି କରିଛି । ଏହି ନ୍ୟାୟସଙ୍ଗତ ଦାବିଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନିଆଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଦାବିଗୁଡ଼ିକ ପୂରଣ ନହେଲେ ଆଗାମୀ ଦିନରେ ସଂଗଠନ ପକ୍ଷରୁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିବା ଜଣାପଡିଛି ।





