ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:
ଚିକିଟି -ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍ରେ AEE (ସହକାରୀ ନିର୍ବାହୀ ଯନ୍ତ୍ରୀ)ଙ୍କ କ୍ୱାଟର ନିର୍ମାଣକୁ କେନ୍ଦ୍ର କରି ଏବେ ନୂଆ ବିବାଦ ଦେଖାଦେଇଛି। ସମିତି ଫଣ୍ଡ୍ରୁ ମଞ୍ଜୁର ହୋଇଥିବା ୧୪ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟକୁ ଜାଣିଶୁଣି ଦୁଇଟି ଭାଗରେ ବିଭକ୍ତ କରି ଟେଣ୍ଡର ପ୍ରକ୍ରିୟାକୁ ଏଡ଼ାଇ ଦିଆଯାଇଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ୱଚ୍ଛତା ଓ ପ୍ରଶାସନିକ ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ଅନୁଯାୟୀ, AEE କ୍ୱାଟର ନିର୍ମାଣ ପାଇଁ ସମିତି ଫଣ୍ଡ୍ରୁ ମୋଟ ୧୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର ଏହି ସମ୍ପୂର୍ଣ୍ଣ କାର୍ଯ୍ୟକୁ ଗୋଟିଏ ପ୍ରକଳ୍ପ ଭାବେ ନକରି ଦୁଇଟି ପୃଥକ୍ କାର୍ଯ୍ୟରେ ବିଭକ୍ତ କରାଯାଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଟେଣ୍ଡର ଆହ୍ୱାନର ସୀମା ଠାରୁ କମ୍ ରଖି ବିନା ଇ-ଟେଣ୍ଡର ରେ କାର୍ଯ୍ୟାଦେଶ ଦିଆଯାଇଥିବା ନେଇ ଅଭିଯୋଗକାରୀ ପକ୍ଷ ପ୍ରଶ୍ନ ଉଠାଇଛନ୍ତି। ଯଦି ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ସରକାରୀ କ୍ରୟ ଓ ନିର୍ମାଣ କାର୍ଯ୍ୟରେ ପାରିଦର୍ଶିତାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ। ଏହି ପ୍ରସଙ୍ଗରେ ଆଉ ଏକ ଗୁରୁତର ଅଭିଯୋଗ ହେଉଛି ଯେ, ଉକ୍ତ କାର୍ଯ୍ୟର ବିଭାଜନ ଓ କାର୍ଯ୍ୟକାରିତା ପୂର୍ବରୁ ପଞ୍ଚାୟତ ସମିତିର କୌଣସି ବୈଠକରେ ଏନେଇ ଆଲୋଚନା କରାଯାଇନଥିଲା କିମ୍ବା ସମିତିର ଆନୁଷ୍ଠାନିକ ରେଜୁଲେସନ୍ ଗୃହୀତ ହୋଇନଥିଲା।

ଏପରିକି ଜିଲ୍ଲା ପ୍ରଶାସନ କିମ୍ବା ଜିଲ୍ଲା ପରିଷଦର ଆବଶ୍ୟକ ଅନୁମୋଦନ ନିଆଯାଇଥିଲା କି ନାହିଁ, ତାହା ମଧ୍ୟ ତଦନ୍ତ ସାପେକ୍ଷ। ଏହି ଘଟଣାକୁ ନେଇ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ଗଞ୍ଜାମ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ଉକ୍ତ କାର୍ଯ୍ୟର ସମସ୍ତ ଫାଇଲ୍, ଅନୁମୋଦନ, ଅଟକଳ, କାର୍ଯ୍ୟାଦେଶ ଓ ଅର୍ଥ ମଞ୍ଜୁରୀ ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରିବା ସହ ନିୟମ ଉଲ୍ଲଂଘନ ପ୍ରମାଣିତ ହେଲେ ସମ୍ପୃକ୍ତ କାର୍ଯ୍ୟାଦେଶ ରଦ୍ଦ କରି ସ୍ୱଚ୍ଛ ଓ ନିୟମାନୁସାରେ ଟେଣ୍ଡର ପ୍ରକ୍ରିୟାରେ କାମ କରାଇବାକୁ ଦାବି ହୋଇଛି। ସମିତି ଫଣ୍ଡ୍ର ଅର୍ଥ କେଉଁ ନିୟମରେ ଏବଂ କାହାର ଅନୁମତିରେ ବ୍ୟୟ କରାଯାଉଛି, ତାହାର ସ୍ପଷ୍ଟତା ରହିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଜନସାଧାରଣଙ୍କ ଟିକସ ଅର୍ଥରେ ହେଉଥିବା ନିର୍ମାଣ କାର୍ଯ୍ୟରେ ଯଦି ନିୟମ ଓ ସ୍ୱଚ୍ଛତାକୁ ଅଣଦେଖା କରାଯାଏ, ତେବେ ତାହା ପ୍ରଶାସନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥାକୁ କ୍ଷୁଣ୍ଣ କରିବ। ତେଣୁ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀ ପ୍ରମାଣିତ ହେଲେ ଦାୟୀ ଅଧିକାରୀଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର୍ ଧରିଛି। ଏବେ ଜିଲ୍ଲା ପ୍ରଶାସନ ଏହି ଗୁରୁତର ଅଭିଯୋଗ ଉପରେ କି ପଦକ୍ଷେପ ଗ୍ରହଣ କରୁଛି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।






