
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୨/୧୧/୨୬ – ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଜିଲ୍ଲାର ବଡ଼ସାହି ବ୍ଲକ ଅଧିନସ୍ଥ ଆଗୁଆଡ଼ ଗ୍ରାମରେ ଅ-ଆ ଯୁବକ ସଂଘ ଦ୍ଵାରା ଆୟୋଜିତ ତ୍ରିଦିବସୀୟ ବାନ୍ଦଣା ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଗସ୍ତସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶୁକ୍ରବାର ସକାଳ ୯ଟା ୪୫ ମିନିଟରେ ଭୁବନେଶ୍ଵରସ୍ଥ ନିଜ ବାସଭବନରୁ ସଡ଼କ ପଥରେ ବାହାରି ୯ଟା ୫୦ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସକାଳ ୧୦ଟାରେ ରାଜ୍ୟ ହେଲିକପ୍ଟର ଯୋଗେ ଯାତ୍ରା ଆରମ୍ଭ କରି ପୂର୍ବାହ୍ନ ୧୧ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ଦୁର୍ଗାପୁରସ୍ଥ ଅଗୁଆଡ଼ ଖେଳପଡ଼ିଆର ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ହେଲିପ୍ୟାଡରୁ ସଡ଼କ ପଥରେ ବାହାରି ପୂର୍ବାହ୍ନ ୧୧ଟା ୧୫ ମିନିଟରେ ଅଗୁଆଡ଼ ଖେଳ ପଡ଼ିଆରେ ମହନ୍ତ କମ୍ୟୁନିଟି କୁଡୁମି ସମାଜ ପକ୍ଷରୁ ଆୟୋଜିତ ଜାତୀୟ ବାନ୍ଦଣା ପର୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ।

ସେଠାରେ କାର୍ଯ୍ୟକ୍ରମ ଶେଷ କରିବା ପରେ ଅପରାହ୍ନ ୨ଟା ୧୫ ମିନିଟରେ ସଭାସ୍ଥଳରୁ ବାହାରି ୨ଟା ୨୦ରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ ଓ ୨ଟା ୩୦ ମିନିଟରେ ହେଲିକପ୍ଟର ଯୋଗେ ଭୁବନେଶ୍ଵର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଓ କଡ଼ାକଡ଼ି ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାରେ, ରାଇରଙ୍ଗପୁର ପୁଲିସ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାରୁ ଆବଶ୍ୟକୀୟ ଫୋର୍ସ ଏବଂ ଅଧିକାରୀମାନଙ୍କୁ ସମନ୍ୱୟ କରାଯାଇ ବଡ଼ସାହି ଥାନା ଅନ୍ତର୍ଗତ ଆଗୁଆଡ଼ ଗ୍ରାମରେ ଅନୁଷ୍ଠିତ ହେବାକୁଥିବା ଏହି କାର୍ଯ୍ୟକ୍ରମ ସ୍ଥଳରେ ଜଣେ ଅତିରିକ୍ତ ଏସପିଙ୍କ ଦାୟିତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାଧାରଣରେ ଶାନ୍ତି ଶୃଙ୍ଖଳା ରକ୍ଷା ସାଙ୍ଗକୁ ରୁଟ୍ ଲାଇନ୍, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ପାଇଁ ସୁବନ୍ଦୋବସ୍ତ କରାଯାଇଥିବାବେଳେ, ଏହି କାର୍ଯ୍ୟକ୍ରମରେ ମୋଟ ୧୬ ପ୍ଲାଟୁନ ପୁଲିସ ଫୋର୍ସ, ୧୨୪ ଜଣ ହୋମଗାର୍ଡ, ୭୫ ଜଣ ଟ୍ରାଫିକ କନଷ୍ଟେବଳ, ବହୁ ସଂଖ୍ୟକ ଏସଆଇ, ଏଏସଆଇ, ୧୬ ଜଣ ଇନ୍ସପେକ୍ଟର, ୬ ଜଣ ଡିଏସପି ଏବଂ ୨ ଜଣ ଅତିରିକ୍ତ ଏସପିଙ୍କୁ ନିୟୋଜିତ କରାଯାଇଛି । ମୟୂରଭଞ୍ଜ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବ୍ୟବସ୍ଥା ସୁଚାରୁରୂପେ ପରିଚାଳିତ ହେବାକୁ ସମସ୍ତ ଅଧିକାରୀ ସଜାଗ ରହିଥିବା ଜଣାପଡ଼ିଛି ।





