ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୧୨/୧୧/୨୬ – ଇଣ୍ଡିଆନ ଆସୋସିଏସନ ଅଫ ଫିଜିକ୍ସ ଟିଚର୍ସ, ଓଡ଼ିଶା ଚାପ୍ଟର ଏବଂ ମହାବିଦ୍ୟାଳୟର ମିଳିତ ସହଯୋଗରେ ଏମ.ପି.ସି. ସ୍ୱୟଂଶାସିତ ମହାବିଦ୍ୟାଳୟ, ବାରିପଦା ସମ୍ମିଳନୀ କକ୍ଷରେ ସାର ଚନ୍ଦ୍ରଶେଖର ଭେଙ୍କଟ ରମଣ ଜୀବନ, ପଦାର୍ଥ ବିଜ୍ଞାନ ଗବେଷଣା ଓ ସଫଳତା ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ପିଢ଼ିର ପଦାର୍ଥ ବିଜ୍ଞାନ ଛାତ୍ରଛାତ୍ରୀଙ୍କୁ ସ୍ୱଦେଶୀ ଓ ସ୍ୱାଧୀନ ଗବେଷଣା ପ୍ରତି ଉତ୍ସାହିତ କରିବା ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ମହାବିଦ୍ୟାଳୟର ଆଇ.କ୍ୟୁ.ଏ.ସି. ସଂଯୋଜକ ଡ. ଦେବାଶିଷ ଦାସ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ନିଜ ଅଭିଭାଷଣରେ ନୋବେଲ ପୁରସ୍କାର ବିଜେତା ବୈଜ୍ଞାନିକ ସି.ଭି. ରମଣଙ୍କ ଅମୂଲ୍ୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ପୃଷ୍ଠପୋଷକ ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରା ଆଲୋକର ଦାର୍ଶନିକ ମହତ୍ତ୍ୱ ଓ ମାନବ ଜୀବନରେ ଏହାର ଭୂମିକା ବର୍ଣ୍ଣନା କରିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ଅନ୍ତର୍ନିହିତ ଆଲୋକ ହିଁ ତାଙ୍କର ପରିଚୟ ନିର୍ଦ୍ଧାରଣ କରେ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ. ସରୋଜ କୁମାର ପାତ୍ର ଯୋଗଦେଇ ସି.ଭି. ରମଣଙ୍କ ପ୍ରାରମ୍ଭିକ ଜୀବନ, ଗବେଷଣା କ୍ଷେତ୍ରରେ ତାଙ୍କର ସଂଘର୍ଷ, ପୂର୍ଣ୍ଣକାଳୀନ ଗବେଷଣା ସୁଯୋଗ ପାଇବାରେ ସମ୍ମୁଖୀନ ହୋଇଥିବା ପ୍ରତିବନ୍ଧକ ଏବଂ ପଦାର୍ଥ ବିଜ୍ଞାନର ପରୀକ୍ଷଣମୂଳକ ଗବେଷଣା ପ୍ରତି ତାଙ୍କର ଅତୁଟ ନିଷ୍ଠା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶେଷରେ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଶ୍ରୀ ପଙ୍କଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।






