କେନ୍ଦୁଝରରୁ ଜିଲ୍ଲା ପ୍ରତିନିଧି ନିରଞ୍ଜନ ପାଣିଙ୍କ ରିପୋର୍ଟ:
କେନ୍ଦୁଝର, ୨୨/୧୧: ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି କେନ୍ଦୁଝର ଜିଲ୍ଲାରେ ତୀବ୍ର ପଲ୍ସ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ବିଭାଗ ପରିସରରେ ସକାଳ ୮ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ ଶିଶୁଙ୍କୁ ପୋଲିଓ ବୁନ୍ଦା ପିଆଇ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ। ଜିଲ୍ଲାରେ ପ୍ରଥମ ଦିନରେ ମୋଟ ୧,୫୦,୫୦୩ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି, ଯାହା ଲକ୍ଷ୍ୟର ପ୍ରାୟ ୮୫ ପ୍ରତିଶତ। ଏହି ଅଭିଯାନରେ ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଉଛି। ଆଜି ଜିଲ୍ଲାର ୮୪୦ଟି ପୋଲିଓ ବୁଥ୍ରେ ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ, ଅଭିଯାନରୁ ବାଦ ପଡ଼ିଥିବା ଶିଶୁଙ୍କୁ ଚିହ୍ନଟ କରି ପୋଲିଓ ବୁନ୍ଦା ପ୍ରଦାନ କରିବା ନିମନ୍ତେ ନଭେମ୍ବର ୨୩ ଓ ୨୪ ତାରିଖରେ ଦୁଇଦିନ ଧରି ଘରକୁ ଘର ଯାଇ ଟୀକାକରଣ କରାଯିବ। ସୂଚନାଯୋଗ୍ୟ ଯେ, ୨୨.୧୧.୨୦୨୬ ରବିବାର ଦିନ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧,୪୯୨ ଜଣ, ବାସୁଦେବପୁରରେ ୧୦,୯୯୯ ଜଣ, ଭଣ୍ଡାରେ ୭,୪୮୬ ଜଣ, ଫକୀରପୁରରେ ୮,୧୯୮ ଜଣ, ଘଟଗାଁରେ ୯,୭୨୧ ଜଣ, ହରିଚନ୍ଦନପୁରରେ ୧୪,୧୭୯ ଜଣ, ଝୁମ୍ପୁରାରେ ୯,୬୬୮ ଜଣ, ପଦ୍ମପୁରରେ ୧୨,୨୪୭ ଜଣ, ପାଟଣାରେ ୯,୬୦୧ ଜଣ, ସାଇଁକୁଳରେ ୧୧,୧୦୯ ଜଣ, ସାଳନିଆଁରେ ୧୧,୬୪୭ ଜଣ, ତେଲକୋଇରେ ୮,୦୦୭ ଜଣ, ଉଦୟପୁରରେ ୮,୬୯୬ ଜଣ, ଯୋଡ଼ାରେ ୩,୬୯୩ ଜଣ ଓ ବଡ଼ବିଲରେ ୪,୭୭୬ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ଏହାସହ ଆନନ୍ଦପୁର ଉପଖଣ୍ଡରେ ୨,୧୫୩ ଜଣ, ଚମ୍ପୁଆ ଉପଖଣ୍ଡରେ ୧,୪୩୪ ଜଣ ଓ କେନ୍ଦୁଝର ସହରରେ ୫,୨୯୭ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି।

ଏହି ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩୧ଟି ଟ୍ରାନଜିଟ୍ ଟିମ୍ରେ ୬୨ ଜଣ ସଦସ୍ୟ, ୧୪ଟି ମୋବାଇଲ୍ ଟିମ୍, ୧୭୩ ଜଣ ସୁପରଭାଇଜର ଓ ୩,୩୬୦ ଜଣ ଭ୍ୟାକ୍ସିନେଟର ନିୟୋଜିତ ହୋଇଥିଲେ। ଉଦ୍ଘାଟନୀ ସମାରୋହରେ ଡିପିଏଚ୍ଓ ଡାକ୍ତର ପୁରୁଷୋତ୍ତମ ମହାନ୍ତ, ଭାରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ବସନ୍ତ କୁମାର ପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଭିପିଡି) ଡାକ୍ତର ପୁଷ୍ପାଞ୍ଜଳି ପଟ୍ଟନାୟକ, ଡିପିଏମ୍ (ଏନ୍ଏଚ୍ଏମ୍) ନିତ୍ୟରଞ୍ଜନ ବରାଳ, ଡିପିଏଚ୍ସିଓ ଭରତ ଚନ୍ଦ୍ର ସାହୁ, ଜିଲ୍ଲା ରେଡ୍କ୍ରସ୍ର ଏ.ଆର୍. ଖାନ୍, ରୋଟାରି କେନ୍ଦୁଝରର ସଞ୍ଜିବ କୁମାର ଓତା, ଡିଭିଏଲ୍ଏମ୍ ଗୋବିନ୍ଦ ଚନ୍ଦ୍ର ମିଶ୍ର, ଏଲ୍ଏଚ୍ଭି ବୁଧୁନୀ ମହାପାତ୍ର, ଭିବିଡିସି ମନୋଜ ମହାପାତ୍ର, ଡିପିସି ତାପସ କୁମାର ଜେନା, ଏସ୍.ଏ. ବୃନ୍ଦାବନ ସାହୁ, ଆଇସିଏ ଚିତ୍ତରଞ୍ଜନ ଜେନାଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମ୍ପୃକ୍ତ କର୍ମଚାରୀ ଉପସ୍ଥିତ ଥିଲେ।





