ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :
ଯୋଡ଼ା/କେନ୍ଦୁଝର /୨୨/୧୧/୨୦୨୬ : କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ଦଡୁଆଁ ଗ୍ରାମର ଝରଣ ସାହିର ଜମିହୀନ ପରିବାରମାନେ ଦୀର୍ଘ ଚାରି ବର୍ଷ ଧରି ଘରଡିହ ପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି। ଏହାର ସ୍ଥାୟୀ ସମାଧାନ ଓ ଆଇନଗତ ମାଲିକାନା ଦାବିରେ ସେମାନେ ସାଂସଦ ଓ ସମ୍ପୃକ୍ତ ତହସିଲଦାରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ମଧ୍ୟ ଅଭିଯୋଗ ଜଣାଇଥିଲେ।ଦାବିପତ୍ର ଅନୁଯାୟୀ, ବିସ୍ଥାପିତ ପରିବାରଗୁଡ଼ିକ ଧୁବୁଲାବେଡ଼ାସ୍ଥିତ ପୁନର୍ବାସ କଲୋନୀରେ ବସବାସ କରୁଛନ୍ତି। ସରକାରୀ ନୀତି ଅନୁଯାୟୀ ୨ ଡେସିମିଲ୍ ଘରଡିହ, ଆର୍ଥିକ ସହାୟତା ଓ ବିଜୁ ପକ୍କା ଘର ପାଇଥିଲେ ମଧ୍ୟ ଅନେକ ପରିବାର ଏଯାବତ୍ ପଟ୍ଟା ପାଇନାହାନ୍ତି। ଥଇଥାନ କରାଯାଇଥିବା ଜମି ଜଙ୍ଗଲ କିସମର ହୋଇଥିବାରୁ ଘରଡିହ କିସମକୁ ପରିବର୍ତ୍ତନ କରିବାରେ ସମସ୍ୟା ରହିଥିବା କୁହାଯାଉଛି। ପଟ୍ଟା ନଥିବାରୁ ବିଭିନ୍ନ ସରକାରୀ କାର୍ଯ୍ୟ, ପ୍ରମାଣପତ୍ର ସଂଗ୍ରହ ଓ ପିଲାମାନଙ୍କ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ସମସ୍ୟା ହେଉଥିବା ପରିବାରଗୁଡ଼ିକ ଅଭିଯୋଗ କରିଛନ୍ତି। ଥଇଥାନ ପୂର୍ବରୁ ଜମିର ଆଇନଗତ ସ୍ଥିତି କାହିଁକି ଯାଞ୍ଚ କରାଯାଇନଥିଲା ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଦାବିପତ୍ରରେ ଆବଣ୍ଟିତ ଜମିର ରେକର୍ଡ ଯାଞ୍ଚ, ଯୋଗ୍ୟ ପରିବାରଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ, ଜଙ୍ଗଲ କିସମ ଜମି ସମସ୍ୟାର ଆଇନସମ୍ମତ ସମାଧାନ, ଆବଶ୍ୟକ ହେଲେ ବିକଳ୍ପ ଜମି ଯୋଗାଣ ଓ ବିଳମ୍ବର କାରଣ ତଦନ୍ତ ସହ ମୋଟ ୮ ଦଫା ଦାବି ରଖାଯାଇଛି। ବିସ୍ଥାପିତ ପରିବାରମାନେ କହିଛନ୍ତି ଯେ, ସେମାନେ ବିକାଶର ବିରୋଧୀ ନୁହନ୍ତି; କିନ୍ତୁ ଭିଟାମାଟି ହରାଇଥିବା ପରିବାରଙ୍କୁ ସ୍ଥାୟୀ ବାସସ୍ଥାନ ଓ ଆଇନଗତ ଅଧିକାର ମିଳିବା ଆବଶ୍ୟକ। ତେଣୁ ତୁରନ୍ତ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ସେମାନେ ଚେତାବନୀ ଦେଇଛନ୍ତି। ଏବେ ପ୍ରଶ୍ନ, ଚାରି ବର୍ଷର ଅପେକ୍ଷା ପରେ ବିସ୍ଥାପିତ ପରିବାରଙ୍କୁ କେବେ ମିଳିବ ନ୍ୟାୟ ଓ ଘରଡିହ ପଟ୍ଟା ?






